କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ, ମହାନଦୀରେ ବିସ୍ଫୋରଣରେ କୁଢୋମାଛଙ୍କ ମୃତ୍ୟୁ ଘଟଣା

ସମ୍ବଲପୁର,୨୮/୬- ସ୍ଥାନୀୟ ହୁମାସ୍ଥିତ ବିମଳେଶ୍ୱର ବାବାଙ୍କ ଇତିହାସ ପ୍ରସିଦ୍ଧ ବକ୍ରମନ୍ଦିର ଭକ୍ତଙ୍କ ସହିତ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ଏଠାରେ ସଂଲଗ୍ନ ମହାନଦୀ ଜଳସ୍ରୋତରେ ଆବାହମାନକାଳରୁ ଏକ ବିଶେଷ ପ୍ରକାରର ମାଛ ଅଜସ୍ର ସଂଖ୍ୟାରେ ଅଛନ୍ତି, ଯାହାକି କୁଢୋମାଛ ରୂପେ ପରିଚିତ । ଏମାନଙ୍କୁ ଶିବଭକ୍ତ ରୂପେ ବିବେଚନା କରାଯାଏ । ଏହି ମାଛମାନେ ସେଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ସେମାନେ ମଣିଷମାନଙ୍କୁ ଭୟ କରନ୍ତି ନାହିଁ ଓ ପାଖକୁ ଆସି ଯାହା ଦେଲେ ଖାଇଥାନ୍ତି । ସ୍ଥାନୀୟଲୋକେ ଏହି ମାଛମାନଙ୍କୁ ମାରନ୍ତି ନାହିଁ କି ଖାଆନ୍ତି ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ମହାନଦୀର ପ୍ରବଳ ବନ୍ୟାରେ ମଧ୍ୟ ସେମାନଙ୍କ କୌଣସି କ୍ଷତି ହୋଇନଥାଏ ଓ ସେଠାକାର ପଥରଫାଙ୍କ ମାନଙ୍କ ମଧ୍ୟରେ ସେମାନେ ସୁରକ୍ଷିତ ରହିଥାଆନ୍ତି । ବର୍ତ୍ତମାନ କିନ୍ତୁ ସେଠାରେ କିଛି ଖଳ ପ୍ରକୃତିର ଲୋକ ବିସ୍ଫୋରଣ କରି ମାଛ ମାରିବା ଫଳରେ କୁଢୋମାଛ ମଧ୍ୟ ସେମାନଙ୍କର ଶିକାର ହେଉଛନ୍ତି ।

ଏଥିରେ ସ୍ଥାନୀୟ ଭକ୍ତଙ୍କ ମନରେ ଆଘାତ ପହଞ୍ଚୁଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସେଠାରେ ବ୍ଲାଷ୍ଟିଙ୍ଗ ବା ବିସ୍ଫୋରଣ ବନ୍ଦ କରାଇବା ପାଇଁ ଅନୁରୋଧ କରାଯାଇଛି । ଏ ଖବର ଗଣମାଧ୍ୟମରୁ ଜାଣିବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ ପଶ୍ଚିମ ଓଡିଶା ସମ୍ବଲପୁର ଜିଲ୍ଲାର ହୁମା ବକ୍ରମନ୍ଦିର ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ମଧ୍ୟରୁ ଅନ୍ୟତମ । ଏହି ମନ୍ଦିର ନିକଟଦେଇ ଯାଇଥିବା ମହାନଦୀ ଘାଟରେ ଥିବା କୁଢୋ ମାଛଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଓ ପର୍ଯ୍ୟଟକଙ୍କ ବିଶେଷ ଶ୍ରଦ୍ଧା ରହିଛି । ଏହି ଦୁର୍ଲଭ ମାଛ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିଶ୍ୱାସ ରହିଛି । କିନ୍ତୁ ହୁମା ମନ୍ଦିରର ମଛିନ୍ଦ୍ର ଘାଟଠାରୁ କିଛି ଦୂରରେ ଥିବା କୁଦ ଗୁଣ୍ଡେରପୁର, ଚିପିଲିମାରେ ଏହି ଦୁର୍ଲଭ ମାଛକୁ ସହଜରେ ଧରିବାପାଇଁ ବେଆଇନ ଭାବେ ବିସ୍ଫୋରଣ କରାଯାଉଛି ଯାହା ଚିନ୍ତାର ବିଷୟ । ବେଆଇନ ବିସ୍ଫୋରଣ ଯୋଗୁଁ ଏହି ମାଛଙ୍କ ପ୍ରତି ବିପଦ ଦେଖାଯାଇଥିବାବେଳେ ମାଛମାନଙ୍କ ବଂଶଲୋପ ନେଇ ବୁଦ୍ଧିଜୀବୀ ଏବଂ ପରିବେଶବିତମାନେ ଆକଳନ କରିଛନ୍ତି । ତେଣୁ ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହିତ ନେଇ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Comments (0)
Add Comment