ସମ୍ବଲପୁର, ୪/୭- ଐତିହାସିକ ନଗର ସମ୍ବଲପୁର ମଝାମଝି ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟଧରି ଅଧାପନ୍ତରିଆ ହୋଇ ପଡ଼ିଛି ଓ ଏଥିପାଇଁ ଜନସାଧାରଣଙ୍କୁ ନାନାଦି ଅସୁବିଧା ଭୋଗିବାକୁ ପଡୁଛି । ଏହି ନିର୍ମାଣ କାର୍ଯ୍ୟପାଇଁ ବିଶ୍ୱବ୍ୟାଙ୍କ ପାଣ୍ଠି ଯୋଗାଇ ଦେଇଛି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ତ୍ତର୍ ବିଭାଗ ଏହାର ତଦାରଖ କରୁଛି । ଜିଲ୍ଲା ଓକିଲ ସଂଘ ଏବିଷୟରେ ଗଭୀର ଅନୁଧ୍ୟାନ କଲାପରେ ଜାଣିପାରିଛି ଯେ ଏହି ଅଯଥା ବିଳମ୍ବ ପାଇଁ ପୂର୍ତ୍ତବିଭାଗ ହିଁ ଦାୟୀ । ସଂଘ ପକ୍ଷରୁ ଗତକାଲି ପୂର୍ତ୍ତର୍ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନାପରେ ଚରମବାଣୀ ଶୁୁଣାଇ ଦିଆଯାଇଛି ଯେ ଚଳିତ ଜୁଲାଇ ମାସରେ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ, ନଚେତ ସେମାନଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ସହିତ ମିଶି ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ । ଏବିଷୟରେ ସଂଘ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ମଝିରେ ପୂର୍ବ ଅନୁମୋଦିତ ନକ୍ସାରେ ପରିବର୍ତ୍ତନ କରାଯାଇଛି କିନ୍ତୁ ସେହି ଅନୁସାରେ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇ ନାହିଁ, ଯେଉଁଥିପାଇଁ ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣରୂପେ ଦାୟୀ । ଏଦିଗରେ ତତ୍କାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରାଯାଇଛି ।