ସମ୍ବଲପୁର,୬/୭- ଗାଁ ପରିମଳ ବନ୍ଧ ତୋଠରୁ ଜଣାପଡ଼ିଥାଏ ଉକ୍ତିକୁ ଚରିତାର୍ଥ କଲାପରି ସମ୍ବଲପୁର ନଗର ନିଗମର ପରିମଳ ବ୍ୟବସ୍ଥା ଏଠାକାର ସରକାରୀ କଲୋନୀର ଅପରିଷ୍କାର ସ୍ଥିତିରୁ ଜଣାପଡିଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ସେ ଦିଗରେ ବର୍ତ୍ତମାନ ନଗର ନିଗମ ଯତ୍ନବାନ ହୋଇଛି ଓ ସେଠାକାର ପରିବେଶ ସଫାସୁତୁରା କରାଯାଉଛି । ଅନେକବର୍ଷରୁ ସେଠାକାର ପରିମଳ ପ୍ରତି ଉପେକ୍ଷା ଓ ଅବହେଳାର ଏକ ନଗ୍ନ ଚିତ୍ର ବର୍ତ୍ତମାନ ଦେଖିବାକୁ ମିଳିଛି । ବିଶେଷକରି ସେଠାକାର କ୍ୱାଟରଗୁଡିକର ପଛପଟ ନର୍କକୁଣ୍ଡରେ ପରିଣତ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଯେ ସେଠାକାର ନିବାସୀ ଏପର୍ଯ୍ୟନ୍ତ ଏବିଷୟରେ ଚୁପ୍ କାହିଁକି ରହି ଆସୁଥିଲେ ଓ ଏପରି ଦୁର୍ଗନ୍ଧମୟ ଅପରିଷ୍କାର ପରିବେଶ ସତ୍ୱେ ସେଠାରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇନାହିଁ । ବିଳମ୍ବରେ ହେଲେ ମଧ୍ୟ ଏଦିଗରେ ନଗରନିଗମ ଦୃଷ୍ଟି ଦେଇ ସେଠାରେ ଉପଯୁକ୍ତ ସଫେଇ ଅଭିଯାନ ଆରମ୍ଭ କରିଥିବାରୁ ସେଠାକାର ନିବାସୀ କୃତଜ୍ଞତା ଜଣାଇଛନ୍ତି ।