ସମ୍ବଲପୁର,୨୭/୭- ଆଗାମୀ ବର୍ଷ ୨୦୨୧-୨୨ରେ ଭାରତ ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସାଂସଦ ସୁରେଶ ପୂଜାରୀ ଏହି ଅଞ୍ଚଳର ସ୍ୱାଭିମାନ ପ୍ରସଙ୍ଗ ସଂସଦର ବର୍ତ୍ତମାନ ଅଧିବେଶନରେ ଉଠାଇଛନ୍ତି । ସେ କହିଛନ୍ତି ଯେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପଶ୍ଚିମାଞ୍ଚଳର ବରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମର ଲେଲିହାନ ଜଳି ଉଠିଥିବା ଐତିହାସିକସ୍ଥଳୀ ଯଥା ବାରପାହାଡ ଯେଉଁଠି ସହିଦ ବୀର ସୁରେନ୍ଦ୍ରସାଏ ଇଂରେଜ ମାନଙ୍କ ବିରୁଦ୍ଧରେ ଦୁର୍ବାର ସଂଗ୍ରାମ କରିଥିଲେ, ଘେଁସର ବୀର ମାଟି ଯେଉଁଠି ସହିଦ ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ର ଯଥା ଐରି ସିଂ, ବୈରି ସିଂ, ହଟ୍ଟେ ସିଂ, କୁଞ୍ଜଲ ସିଂ ଏବଂ ଅନ୍ୟାନ୍ୟ ସହଯୋଗୀମାନେ ୧୮୫୭ ର ୨୮ ବର୍ଷ ପୂର୍ବରୁ ୧୮୨୯-୩୦ ସମୟରେ ଏଠାରେ ସ୍ୱାଧୀନତା ସଂଗ୍ରାମର ବହ୍ନି ଜାଳି ଦେଇଥିଲେ ।
ଏହି ସମସ୍ତ ଐତିହାସିକ ସ୍ଥଳୀସବୁର ଉପଯୁକ୍ତ ସୁରକ୍ଷା, ରକ୍ଷଣା ବେକ୍ଷଣ, ସଂରକ୍ଷଣ ଏବଂ ବିକାଶ ସଂକ୍ରାନ୍ତରେ ଶ୍ରୀପୂଜାରୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ତ ପଷ୍ଠଳୂ ବିଷୟରେ ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାରଙ୍କ ତରଫରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ଆଶ୍ଚର୍ଯ୍ୟର କଥା ଯେ ରାଜ୍ୟ ସରକାର ଏବିଷୟରେ ଗହନ ନିରବତା ଅବଲମ୍ବନ କରି ବସିଛନ୍ତି, ସତେଯେମିତି ଏସବୁ ସ୍ଥାନ ଓଡ଼ିଶାର ପରିସୀମାରେ ନାହିଁ ଓ ବାହାରେ ରହିଛି ।