ମଧ୍ୟବିତ୍ତଙ୍କ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ସମ୍ବଲପୁର, ୫/୭- ମହାମାରୀ କରୋନା ସଙ୍କଟ କାଳରେ ଦେଶର ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇନାହିଁ । ଏବିଷୟରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ଆଜି ଏକ ସ୍ମାରକପତ୍ର ପଠାଯାଇଛି । ଏଥିରେ ଉତ୍ଥାପିତ ବିଭିନ୍ନ ସମସ୍ୟାମାନଙ୍କ ମଧ୍ୟରେ ଦେଶରେ ମଧ୍ୟବିତ୍ତଙ୍କ ସ୍ଥିତି ବିଷୟରେ ଏକ ଶ୍ୱେତପତ୍ର ଜାରି କରିବାପାଇଁ ଦାବି କରାଯାଇଛି । ସେମାନଙ୍କ ସଙ୍କଟାପନ୍ନ ଆର୍ଥିକ ସ୍ଥିତିକୁ ନେଇ ଆର୍ଥିକ ଓ ଖାଦ୍ୟ ସୁରକ୍ଷା ନିମନ୍ତେ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅଧିକାଂଶ ମଧ୍ୟବିତ୍ତ ପରିବାର ରାସନ୍‌କାର୍ଡ ପରି ସୁବିଧାରୁ ବଞ୍ଚିତ ରହିଛନ୍ତି । ତେଣୁ ସେ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି । ସେମାନଙ୍କୁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ସାମିଲ ସହିତ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ହୀରାକୁଦ ନଦୀବନ୍ଧ ପରିଯୋଜନାରେ କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ସେମାନଙ୍କ ପାଇଁ ଗୃହୋପଯୋଗୀ ଦଶ ଡେସିମିଲ ଭୂମି ଯୋଗାଇବା ସହିତ ସ୍ଥାନୀୟ ସମସ୍ତ ଖଣିଖାଦାନ ଓ କାରଖାନାରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରାଯାଇଛି । ଏହି ସ୍ମାରକପତ୍ରରେ ସମ୍ବଲପୁର ସହିତ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ପ୍ରତିନିଧିତ୍ୱ ରହିଛି । ମହାସଂଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ର, ଉପସଭାପତି ଗୋପିନାଥ ସାହୁ, ସାଧାରଣ ସଂପାଦକ ହରେକୃଷ୍ଣ ପାତ୍ର ଓ ଅନ୍ୟ ସ୍ଥାନୀୟ ନେତାମାନଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment