କୋଭିଡ ସ୍ଥିତିରେ ସୁଧାର ଯୋଗୁଁ ବୁର୍ଲା ବ୍ୟତୀତ ଜିଲ୍ଲାର ସବୁ ସିସିସି ବନ୍ଦ ହେବ

ସମ୍ବଲପୁର, ୯/୭- ସମ୍ବଲପୁର ଜିଲ୍ଲା କୋଭିଡ ସ୍ଥିତିରେ ବ୍ୟାପକ ସୁଧାର ଯୋଗୁଁ ସବୁ କୋଭିଡ କେୟାର ସେଣ୍ଟର (ସିସିସି) ଗୁଡ଼ିକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଆବଶ୍ୟକ ସ୍ଥଳେ ବ୍ୟବହାର ସକାଶେ ଏକମାତ୍ର ବ୍ୟତିକ୍ରମ ରୂପେ ବୁର୍ଲା ସ୍ଥିତ ସିସିସି ସକ୍ରିୟ ରଖାଯିବ ବୋଲି କୁହାଯାଇଛି । ଜିଲ୍ଲାପାଳ ଶୁଭମ ସକସେନା ବର୍ତ୍ତମାନ ଲମ୍ବା ଛୁଟିରେ ଯାଇଥିବାରୁ ଡିଆରଡିଏ ପରିଯୋଜନା ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ ପ୍ରଭାରୀ ଜିଲ୍ଲାପାଳ ରୂପେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନ ଏହି ଜିଲ୍ଲାରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା କୋଭିଡ ପରୀକ୍ଷାର ଏକ ପ୍ରତିଶତରୁ କମ ରହୁଥିବାରୁ ଏପରି ନିଷ୍ପତି ନିଆଯାଇଛି । ଆବଶ୍ୟକ ସ୍ଥଳେ ସେବା ଯୋଗାଇବା ପାଇଁ ବୁର୍ଲା ଭିମସାର ସ୍ଥିତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ସକ୍ରିୟ ରହିବ । ସମ୍ବଲପୁର ସହର ହସ୍ପିଟାଲରେ ପରିଚାଳିତ ଅଶ୍ୱିନୀ କୋଭିଡ ହସ୍ପିଟାଲ ଆଗାମୀ ୨୬ ତାରିଖରୁ ବନ୍ଦ କରାଯିବା ବିଷୟରେ ସେ ସୂଚନା ଦେଇଛନ୍ତି ।

Comments (0)
Add Comment