ଅଘୋଷିତ ବିଦ୍ୟୁତ କାଟ ଓ ବିଭିନ୍ନ ସମସ୍ୟା ନେଇ ସ୍ୱର ଉତ୍ତୋଳନ

ସମ୍ବଲପୁର: ଗତ ଦୁଇମାସ ହେଲା ଲକଡାଉନ ଘୋଷଣା ସହିତ ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିତରଣରେ ଅବ୍ୟବସ୍ଥା ଓ ଲୋ ଭୋଲଟେଜ ସମସ୍ୟା ପାଇଁ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି । ଏନେଇ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତକରି ସ୍ୱର ଉଠାଇବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଅନୁସାରେ ରାଜ୍ୟର ଅର୍ଥନୀତିରେ ପଶ୍ଚିମ ଓଡିଶାର ଭାଗିଦାରୀ ଅତୁଳନୀୟ । ଖଣିଜ ସଂପଦ, ଜଙ୍ଗଲ ଓ ଜଳରେ ଭରପୁର ଓଡିଶାର ପଶ୍ଚିମାଞ୍ଚଳ ରାଜ୍ୟର ସମସ୍ତ କ୍ଷେତ୍ରରେ ନିଜର ବିଶେଷ ମହତ୍ତ୍ୱ ବଜାୟ ରଖିଛି । ବିଶେଷକରି ରାଜ୍ୟର ଶକ୍ତିବିଭାଗକୁ ସର୍ବାଧିକ ବିଦ୍ୟୁତ ଶକ୍ତି ଯୋଗାଉଥିବା ଅଞ୍ଚଳ ହେଉଛି ରାଜ୍ୟର ପଶ୍ଚିମାଞ୍ଚଳ । ଜଳ ବିଦ୍ୟୁତ ପ୍ରକଳ୍ପ ହେଉ କି ଶିଳ୍ପ ପ୍ରତିଷ୍ଠା ପାଇଁ ହେଉ ରାଜ୍ୟରେ ସର୍ବାଧିକ କ୍ଷତି ଏହି ଅଞ୍ଚଳବାସୀ ହିଁ ସହୁଛନ୍ତି । ହୀରାକୁଦ ଡ୍ୟାମ ଓ ଜଳଭଣ୍ଡାର ଯୋଗୁଁ ବାସଚ୍ୟୁତ ହୋଇଥିବା ଲକ୍ଷଲକ୍ଷ ପରିବାର ଆଜି ଯାଏଁ ତାର କ୍ଷତିପୂରଣ ପାଇପାରିନାହାନ୍ତି । ବିଶେଷକରି ବର୍ତ୍ତମାନ ଗ୍ରୀଷ୍ମଋତୁରେ ପ୍ରଚଣ୍ଡ ରୌଦ୍ରତାପରେ ପଶ୍ଚିମାଞ୍ଚଳ ଏକପ୍ରକାର ଜଳୁଛି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ସେଥିରେ ପୁଣି ଲୋ ଭୋଲଟେଜ ଓ ବାରମ୍ବାର ବିଦ୍ୟୁତ କଟିବା ବୋଝ ଉପରେ ଲଳିତା ବିଡା ସଦୃଶ । ତେଣୁ ଏସବୁ ଉପରେ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ କେବଳ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତେଇ ଦିଆଯାଇଛି । ଏହି ଅଭିଯାନରେ ଭାଜପା ଜିଲ୍ଲା ସାଧାରଣ ସଂପାଦକ ଅନୀଲ ବେହେରା, କ୍ଷେତ୍ରୀୟ ପ୍ରବକ୍ତା ଓ ଗଣମାଧ୍ୟମ ସଂଯୋଜକ ମାନଓ ରଞ୍ଜନ ବକ୍ସି, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଅଶ୍ୱିନୀ ମାଝୀ, ବୀର ବିର୍ସା ମୁଣ୍ଡା ମଣ୍ଡଳ ସଭାପତି ଗିରିଜା ସାହୁ, ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ, ସାକ୍ଷୀ ଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡାଇ, ବୁର୍ଲା ମଣ୍ଡଳ ସଭାପତି ଜୟନ୍ତ ଦାସ, ହୀରାକୁଦ ମଣ୍ଡଳରୁ ମନୋଜ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁନ୍ଧତୀ ପାତ୍ର, ସଞ୍ଜିବ ବର୍ମା, ଅଶୋକ ସାହୁ, ଅନୁପ ମିଶ୍ର, ସୌମିତ୍ରୀ ଜତି, ଉଲ୍ଲାସ ବାରିକ, ନୀଳାମ୍ବର ସିକନ୍ଦର, ସନ୍ତୋଷ ସାହୁ ଓ କାହ୍ନା ଓରାମ ପ୍ରମୁଖ ସାମିଲ ହୋଇଥିଲେ ।

Comments (0)
Add Comment