ସମ୍ବଲପୁରୀ ଭାଷା ଏକାଡେମୀ ପକ୍ଷରୁ ସମଲପୁରୀ ଲିପିରେ ପ୍ରଥମ ପତ୍ରିକା ଉନ୍ମୋଚିତ

ସମ୍ବଲପୁର, ୧/୮- ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର, ସଂସ୍କୃତି, ସୁରକ୍ଷା ଓ ସମୃଦ୍ଧି ଦିଗରେ ଆଉ ଏକ ପାଦ ଆଗକୁ ବଢିଛି ସମ୍ବଲପୁରୀ ଭାଷା ଏକାଡେମୀ ସମ୍ବଲପୁର । ଏହି ଭାଷାରେ ଶହ ଶହ ସଂଖ୍ୟାରେ ପୁସ୍ତକ ରଚନା ହୋଇସାରିଛି କିନ୍ତୁ ବର୍ତ୍ତମାନ ସମ୍ବଲପୁରୀ ଲିପିରେ ଦ୍ୱିତୀୟ ପୁସ୍ତକ ଓ ପ୍ରଥମ ପତ୍ରିକା ‘ପଝ୍‌ରେନ’ ପ୍ରକାଶ ପାଇଛି । ଆଜି ଗୁରୁ ସ୍ୱର୍ଗତ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପଧାନଙ୍କ ଜନ୍ମ ଜୟନ୍ତୀ ଯାହାକି ସମ୍ବଲପୁରୀଦିନ ରୂପେ ପ୍ରସିଦ୍ଧ । ଏହି ଅବସରରେ ସମଲେଶ୍ୱରୀ ମାଁ ଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା ପରେ ଏହି ‘ପଝ୍‌ରେନ’ ପତ୍ରିକା ଉନ୍ମୋଚନ କରାଯାଇଛି । ଉନ୍ମୋଚନ ଅବସରରେ ଗୋଟିଏ ପଥପ୍ରାନ୍ତ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଏହି ସଭାରେ ସମ୍ବଲପୁରୀ ଭାଷା ଓ ଲିପିର ପ୍ରଚାର ପ୍ରସାର, ସଂସ୍କୃତି, ସୁରକ୍ଷା ଓ ସମୃଦ୍ଧି ଦିଗରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ତଥା ସମ୍ବଲପୁରୀ ଲିପିର ସୃଷ୍ଟିକର୍ତ୍ତା ହେମକାନ୍ତ ସାହୁ ଯୋଗ ଦେଇଥିଲେ ଏବଂ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହାକୁ କିପରି ଲୋକେ ସହଜରେ ଆପଣାଇବେ ସେଥିପ୍ରତି ଧ୍ୟାନ ଦେଇ ଆଗାମୀ ଦିନରେ ଏଥିପାଇଁ ବହୁତ ଶୀଘ୍ର କମ୍ପୁଟର୍‌ କି-ବୋର୍ଡ ଉନ୍ମୋଚନ କରିବା ପାଇଁ ସୂଚନା ଦେଇଥିଲେ । ଅତିଥି ଭାବେ ଡ ଗୌରୀଦାସ ପ୍ରଧାନ, ଡ ସତ୍ୟନାରାୟଣ ଠାକୁର୍‌, ଜୟକୃଷ୍ଣ ବେହେରା,କାର୍ତ୍ତିକ ବହିଦାର୍‌, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆବାହକ୍‌ ଭବାନୀଶ ଭୋଇ, ରାହୁଲ ଗୁପ୍ତା, ସୁବୋଧ ଦୋରା, ଅମିତାଭ ମାଝୀ, ମାନସ ରଞ୍ଜନ ବକ୍ସି, ଅଭିଷେକ ମହାରଣା, ରାଜେଶ ସ୍ୱାଇଁ, ଶଙ୍କର ମେହେର ଓ ରାଜେନ୍ଦ୍ର ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ସମ୍ବଲପୁରୀ ଭାଷା ଏକାଡେମୀ ସମ୍ପାଦକ ପ୍ରକୃତିବନ୍ଧୁ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment