ବିଭିନ୍ନ ସ୍ଥାନରେ ସଟ୍ଟା ବିରୁଦ୍ଧରେ ଅଭିଯାନରେ ୫୦ ହଜାର ଟଙ୍କା ଜବତ ଓ ୧୪ଜଣ ଗିରଫ

ସମ୍ବଲପୁର, ୨୩/୯- ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ଆଡ୍ଡାରେ ଚଢ଼ାଉ ଫଳରେ ନଗଦ ପ୍ରାୟ ୫୦ ହଜାର ଟଙ୍କା ଜବତ ସହିତ ଏଥିରେ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଏଥିପାଇଁ ବ୍ୟବହୃତ କିଛି ସଟ୍ଟା ପଟ୍ଟୀ, କାଲକୁଲେଟର ଓ ମୋବାଇଲ ଫୋନ ସେମାନଙ୍କ ଠାରୁ ଜବତ କରାଯାଇଛି । ସମ୍ବଲପୁର ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ ପକ୍ଷରୁ ସ୍ଥାନୀୟ ବିଭିନ୍ନ ସଟ୍ଟା କେନ୍ଦ୍ରଗୁଡିକ ହଠାତ୍‌ ଚଢ଼ାଉ ଫଳରେ ଏହି ପରିଣାମ ସାମନାକୁ ଆସିଛି । ଏହି ସଂକ୍ରାନ୍ତରେ ଅଇଁଠାପାଲି ଢୁକୁପଡା ଠାରୁ ଆରମ୍ଭକରି ବସଷ୍ଟାଣ୍ଡ, ବଡ଼ବଜାର, ଫାଟକ, ସାହୁକଲୋନୀ, ଗେଟୀରୋଡ ଓ ଧନୁପାଲି ପର୍ଯ୍ୟନ୍ତ ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା । ଏହି ସଂକ୍ରାନ୍ତରେ ସ୍ଥାନୀୟ ଟାଉନ ଥାନା, ଅଇଁଠାପାଲି ଥାନା, କ୍ଷେତରାଜପୁର ଥାନା ଓ ଧନୁପାଲି ଥାନାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ପ୍ରକୃତରେ କହିବାକୁ ଗଲେ, ଏହି ସବୁ ଅଭିଯୁକ୍ତ ଓ ସେମାନଙ୍କ ଆଡ୍ଡା ବିଷୟରେ ସମ୍ବଦ୍ଧ ଥାନା ଗୁଡିକରେ ବିସ୍ତୃତ ସୂଚନା ଆଗରୁ ରହି ଆସିଛି କିନ୍ତୁ ସେମାନଙ୍କୁ ଜାଣିଶୁଣି ଅଣଦେଖା କରାଯିବାର ଅଭିଯୋଗ ରହିଛି, କିନ୍ତୁ ପୁଲିସ ଅଧିକ୍ଷକଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡର ସକ୍ରିୟତା ଫଳରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ।

Comments (0)
Add Comment