ଭୀମସାରରୁ ବହିଷ୍କୃତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଥଇଥାନ ପାଇଁ ଦାବି

ସମ୍ବଲପୁର, ୨/୭- ସ୍ଥାନୀୟ ବୁର୍ଲାସ୍ଥିତ ବଡ଼ ମେଡିକାଲ ଭୀମସାରରୁ ବହିଷ୍କୃତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୁନର୍ବାର ନିଯୁକ୍ତି ଦେବା ପାଇଁ ଓଡ଼ିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଦାବି କରାଯାଇଛି । ଏହି ବହିଷ୍କାର ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ଆଜି ଏଥିପାଇଁ ସମ୍ବଲପୁର ଜିଲ୍ଲାପାଳ ଏକ ଲିଖିତ ଆବେଦନ ଦେଇଛନ୍ତି, ଯାହା କି ଏଠାରେ ଗଠିତ ଓଡ଼ିଶା ଆଦିବାସୀ ଦଳିତ ସେନା ପକ୍ଷରୁ କରାଯାଇଛି । ସେମାନଙ୍କ କହିବା ଅନୁସାରେ ମହାମାରୀ କରୋନା ସମୟରେ ସେମାନେ ଭୀମସାରରେ କାମ କରିଛନ୍ତି ଓ ବର୍ତ୍ତମାନ ସେମାନଙ୍କୁ ଅଯଥା ବହିଷ୍କୃତ କରାଯାଇଛି । ଏଥିରେ ପ୍ରଭାବିତ ଅଧିକାଂଶ ଆଦିବାସୀ ଓ ଦଳିତ ଶ୍ରେଣୀର ଅନ୍ତର୍ଭୁକ୍ତ, ଏଣୁ ଉକ୍ତ ମଞ୍ଚ ସେମାନଙ୍କ ସମର୍ଥନରେ ଠିଆ ହୋଇଛି । ଏହି କର୍ମଚାରୀମାନଙ୍କୁ କିଛି ମାସର ବକେୟା ଦରମା ବ୍ୟତୀତ ସରକାରୀ ନିୟମ ଅନୁସାରେ ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଇଛି । ଏନେଇ ଭୀମସାର କର୍ତ୍ତୃପକ୍ଷ ସେମାନଙ୍କ କଥାପ୍ରତି ଗୁରୁତ୍ୱ ଦେଉନାହାଁନ୍ତି । ଏଣୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଠାରେ ଗୁହାରି କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Comments (0)
Add Comment