ଆସନ୍ତାକାଲି ବସଷ୍ଟାଣ୍ଡ ପରିସରରୁ ପରିବାବଜାର ଉଠାଯିବ

ସମ୍ବଲପୁର, ୪/୭- ବର୍ତ୍ତମାନ ନଗର ମଧ୍ୟରେ ଅବସ୍ଥିତ ରାଜ୍ୟ ପରିବହନ ନିଗମ ବସଷ୍ଟାଣ୍ଡରେ ଦୈନିକ ପନିପରିବା ବଜାର ବସୁଛି କାରଣ ସଟଡାଉନ ପାଇଁ ବସ ଚଳାଚଳ ବନ୍ଦ ରଖାଯାଇଥିଲା । କିନ୍ତୁ ଗତ ୧ ଜୁଲାଇରୁ ସଟଡାଉନ ନିୟମରେ ଘୋଷିତ କୋହଳ ଅନୁସାରେ ଜିଲ୍ଲା ଓ ଆନ୍ତର୍ଜିଲାସ୍ତରରେ ବସ ଚଳାଚଳ କରାଯିବ । ପୁଣି ସମ୍ବଲପୁର ସହିତ ପଡୋଶୀ ଜିଲ୍ଲା ଝାରସୁଗୁଡ଼ା ଓ ବରଗଡ଼ ଯିବାଆସିବା ପାଇଁ ଲୋକେ ସିଟି ବସ୍‌ ସେବା ଉପରେ ସମ୍ପୂର୍ଣ୍ଣ ରୂପେ ଆଶ୍ରିତ ରହୁଥିଲେ ଓ ଏଥିପାଇଁ ଉକ୍ତ ବସଷ୍ଟାଣ୍ଡ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ଏଭଳି ପରିସ୍ଥିତିରେ ବସଷ୍ଟାଣ୍ଡ ପରିସରରୁ ପନିପରିବା ବିକୁଥିବା ଉଠାଦୋକାନୀଙ୍କୁ ଅନ୍ୟତ୍ର ନିଆଯିବାକୁ ପଡୁଛି । ଏହି ସନ୍ଦର୍ଭରେ ସମ୍ବଲପୁର ନଗର ନିଗମକୁ ସିଟି ବସ ପରିଚାଳନା ପକ୍ଷରୁ ଲିଖିତ ଅନୁରୋଧ କରାଯାଇଛି । ଆସନ୍ତାକାଲି ଅର୍ଥାତ ସୋମବାର ଦିନ ଏଦିଗରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି ।

Comments (0)
Add Comment