ସମ୍ବଳ ଅନୁଷ୍ଠାନ ତରଫରୁ ଦୁଇଟି ଅସହାୟ ଶବସତ୍କାର

ସମ୍ବଲପୁର, ୨୩/୭- ଅସହାୟ ଓ ଅଜଣା ଅଚିହ୍ନା ଶବ୍ଦଗୁଡ଼ିକର ଶ୍ରଦ୍ଧା ସହିତ ଦାହ ସଂସ୍କାର ଦିଗରେ ସ୍ଥାନୀୟ ସକ୍ରିୟ ସାମାଜିକ ଅନୁଷ୍ଠାନ “ସମ୍ବଳ’ ଦ୍ୱାରା ଗତକାଲି ଦୁଇଟି ଶବସତ୍କାର କରାଯାଇଛି । ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅଜଣା ଅଚିହ୍ନା ବ୍ୟକ୍ତିର ମୃତ୍ୟୁପରେ ତାଙ୍କର ମୃତଦେହକୁ ନେବାପାଇଁ କେହି ଆସିନଥିଲେ । ଏଣୁ ବୁର୍ଲା ଥାନାର ଅନୁରୋଧକ୍ରମେ ତାହାର ଶବସତ୍କାର ପାଇଁ ସମ୍ବଳ ଅନୁଷ୍ଠାନ ଶ୍ରଦ୍ଧା ସହକାରେ ଆଗେଇ ଆସିଥିଲା ଓ ସ୍ଥାନୀୟ ରାଜଘାଟଠାରେ ଦାହସଂସ୍କାର କରାଯାଇଥିଲା । ସେହିପରି ବଲାଙ୍ଗୀର ଜିଲ୍ଲାର ତିଲିଗୁଡାରୁ ଏକ ପରିବାର ଆସି ସ୍ଥାନୀୟ ଦୁର୍ଗାପାଲି ପାଖରେ ବସବାସ କରୁଥିଲେ । କୌଣସି କାରଣରୁ ପରିବାରର ମୁଖ୍ୟ ଶଶି ଦାସ (୪୨) ଆତ୍ମହତ୍ୟା କଲାପରେ କ୍ଷେତରାଜପୁର ଥାନା ପକ୍ଷରୁ ଉକ୍ତ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା । କିନ୍ତୁ ତାଙ୍କ ପଛରେ ରହିଯାଇଥିବା ବିଧବା ଓ ତିନି ନାବାଳକ ପୁଅ ତାଙ୍କ ଦାହ ସଂସ୍କାର ପାଇଁ ଅସମର୍ଥ ହେବାରୁ ଏଥିପାଇଁ ସମ୍ବଳ ପକ୍ଷରୁ ଏହି ବିଡା ଉଠାଯାଇଥିଲା । ତାଙ୍କର ମଧ୍ୟ ଦାହ ସଂସ୍କାର ଗତକାଲି ସ୍ଥାନୀୟ ରାଜଘାଟ ଠାରେ କରାଗଲା । ଏହି ମହତ କାର୍ଯ୍ୟ ପାଇଁ ସମ୍ବଳ ପକ୍ଷରୁ ରାମଦାସ ପଣ୍ଡା, ସଉରି ପାଣିଗ୍ରାହୀ ଓ ଦିଲିପ ବୋଷ ଶ୍ରଦ୍ଧା ସହିତ ଦାୟିତ୍ୱ ନିର୍ବାହ କରିଥିଲେ । ଏପର୍ଯ୍ୟନ୍ତ ସମ୍ବଳ ୫୦୦ ରୁ ଊର୍ଦ୍ଧ୍ୱ ଶବସତ୍କାର କରିଛି ।

Comments (0)
Add Comment