ସମ୍ବଲପୁର,୧୪/୮- ପ୍ରାୟ ସପ୍ତାହେ ପୂର୍ବେ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥରଠାରୁ ଲୁହାପଥର ବୋଝେଇ ଏକ ଟ୍ରକକୁ ବଳପୂର୍ବକ ସମ୍ବଲପୁର ଅଣାଯାଇଥିଲା । ଟ୍ରକ ଚାଳକ ଓମ ପ୍ରକାଶ ଜଲାନ ଏବିଷୟରେ ଜମନକିରା ଥାନାରେ ଅଭିଯୋଗ କରିଥିଲେ । ଆଜି ଏବିଷୟରେ ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ଜଣାଇବା ଅନୁସାରେ ଗତ ଅଗଷ୍ଟ ୧୨ ତାରିଖ ଦିନ ଉକ୍ତଥାନାରେ ଏକମାମଲା ରୁଜୁକରି ପୁଲିସ ଏହାର ତଦନ୍ତ କଲାପରେ ଏଥିରେ ଜଡ଼ିତ ୨ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜିଆଉଲ ହକ (୩୧) ଗିରଫ ଭୟରେ ଫେରାର ହୋଇଯାଇଛି । ଗିରଫ ଦୁଇଜଣଙ୍କ ଚିହ୍ନଟ ସୁଜିତ ଜାମଡାଲିଆ (୩୨) ଓ ବିପ୍ର ପ୍ରଧାନ (୧୯) ରୂପେ କରାଯାଇଛି ତଥା ଉଭୟେ ଜମନକିରା ନିବାସୀ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଉକ୍ତ ଘଟଣାରେ ବ୍ୟବହୃତ ଏକ ମାରୁତି କାର ମଧ୍ୟ ଜବତ କରାଯାଇଛି । ଘଟଣା ବିଷୟରେ ପ୍ରାପ୍ତ ତଥ୍ୟ ଅନୁସାରେ ସେଦିନ ଉକ୍ତଟ୍ରକରେ କୋଇଡାସ୍ଥିତ ରୁଙ୍ଗଟା ମାଇନ୍ସରୁ ଲୁହାପଥର ନେଇ ରାଏପୁର ପାୱାର ଓ ଷ୍ଟିଲ କାରଖାନା ଅଭିମୁଖେ ଯାଉଥିବା ସମୟରେ ଏମାନେ ତିନିଜଣ ଏକ ମାରୁତି କାର ଯୋଗେ ସେଠାରେ ପହଞ୍ଚି ଋଣ ଆଦାୟ ନାଁ ରେ ଧମକ ଚମକ ଦେଇ ଟ୍ରକକୁ ବଳପୂର୍ବକ ସମ୍ବଲପୁର ନେଇ ଆସିଥିଲେ ।