ସମ୍ବଲପୁର,୧୩/୬- ଏକ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟଣା ସହିତ ସଂପୃକ୍ତ ୬ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ସମ୍ବଲପୁର ଜିଲ୍ଲା ପୁଲିସ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଗତକାଲି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହା ପୂର୍ବରୁ ୩ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାଦିମ ଖାଁ (୨୬) ବିରୁଦ୍ଧରେ ମୋଟ ୧୩ଟି ମାମଲା ରହିଛି ଓ ତାହାକୁ ଗିରଫ କରିବା ଜିଲ୍ଲା ପୁଲିସର ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇଛି । କାଦିମ ବିରୁଦ୍ଧରେ ସ୍ଥାନୀୟ ଧନୁପାଲି ଥାନାରେ ୫, ଟାଉନ ଥାନାରେ ୬ ସହିତ କ୍ଷେତରାଜପୁର ଓ ଅଇଁଠାପାଲି ଥାନାରେ ଗୋଟିଏ ଲେଖାଏଁ ମାମଲା ଆଗରୁ ରହିଛି । ତାହାର ଅନ୍ୟ ସହଯୋଗୀ ଅଭିଯୁକ୍ତ ଚିନ୍ତା ବାଗ ବିରୁଦ୍ଧରେ ୯ଟି ଓ ଅଭିଯୁକ୍ତ ରାମ ଶର୍ମା ବିରୁଦ୍ଧରେ ମଧ୍ୟ ୭ ଟି ମାମଲା ଆଗରୁ ରହିଛି । ଏହି ଘଟଣା ସହିତ ସଂପୃକ୍ତ ପୂର୍ବରୁ ଗିରଫ ଅଭିଯୁକ୍ତମାନେ ହେଲେ କ୍ଷୀରୋଦ ବାଗ ଓରଫ ଛୋଟେ ଓ ଟିକେଶ ବେହେରା ଓରଫ ପିଣ୍ଟୁ । ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଦୁଇ ଗାଁ ଗୁଲାମାଲ ପଧାନପାଲି ମଝିରେ ଗତ ୪ତାରିଖ ରାତିରେ ଉଧାର ଟଙ୍କା ଅସୁଲିକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦରୁ ଏହି ଗୁଳିକାଣ୍ଡ ଘଟିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।