ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେଲେ ଲୁଟେରା

ସମ୍ବଲପୁର,୧୪/୭- ସ୍ଥାନୀୟ କଚେରୀଛକ ସଂଲଗ୍ନ ଏକ ବ୍ୟସ୍ତବହୁଳ ରାଜରାସ୍ତାରୁ ଦିନ ଦ୍ୱିପହରରେ ୨ ଜଣ ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇନେଇ ଫେରାର ହେବାରେ ସଫଳ ହୋଇଛନ୍ତି । ସେଠାରୁ ଅନତି ଦୂରରେ ଗୋଟିଏପଟେ ଜିଲ୍ଲା ପୁଲିସ ଏସପିଙ୍କ କାର୍ଯ୍ୟାଳୟ ଓ ଅନ୍ୟପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ରହିଛି । ଏହି ସମ୍ପୂର୍ଣ୍ଣ ଘଟଣାଟି ଉକ୍ତ କଚେରୀ ଛକରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି । ଲୁଟେରା ଦୁହେଁ ଏକ ଲାଲ ରଙ୍ଗର ବାଇକରେ ଆସିଥିଲେ କିନ୍ତୁ ମୁଣ୍ଡରେ ହେଲମେଟ ଯୋଗୁଁ ସେମାନଙ୍କୁ ଚିହ୍ନି ହେଉନାହିଁ । ପୁଣି ସେମାନଙ୍କ ସ୍ଥିତି ଏପରି ଥିଲା ଯେ କ୍ୟାମେରାରେ ରେକର୍ଡ ଭିଡିଓରେ ବାଇକ ନମ୍ବର ମଧ୍ୟ ଜଣା ପଡୁନାହିଁ । ଏହି ଲୁଟର ଶିକାର ମହିଳାଙ୍କ ନାମ ବିଷ୍ଣୁ ପ୍ରିୟା ଭୋଇ ଓ ଲୁଟି ନେଇଥିବା ସୁନାଚେନର ଓଜନ ୧୦ ଗ୍ରାମ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏପରି ଏକ ବ୍ୟସ୍ତବହୁଳ ଓ ସୁରକ୍ଷିତ ସ୍ଥାନରେ ଦିନବେଳା ଲୁଟ୍‌ ହୋଇଥିବାରୁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି । ଏଣୁ ମାମଲାର ତନାଘନା ତଦନ୍ତ ଚାଲିଛି ଓ ଲୁଟେରାଙ୍କୁ ଖୋଜି ବାହାର କରିବାପାଇଁ ଆପ୍ରାଣ ଉଦ୍ୟମ କରାଯାଉଛି ।

Comments (0)
Add Comment