ହୀରାକୁଦରୁ ଦ୍ୱିତୀୟଥର ବନ୍ୟାଜଳ ନିଷ୍କାସନ ପାଇଁ ସତର୍କ କରାଯାଉଛି

ସମ୍ବଲପୁର, ୨୪/୭- ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନ ସୁଦ୍ଧା ବନ୍ୟାଜଳ ନିଷ୍କାସନ ପାଇଁ ବର୍ତ୍ତମାନ ବାରମ୍ବାର ସାଇରନ ବଜାଯାଉଛି । ଏହା ଏବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ହେବ ଓ ଏଥର ଅଧିକ ପରିମାଣରେ ନିଷ୍କାସନ ହେବ ବୋଲି ସମସ୍ତଙ୍କୁ ସତର୍କ କରାଯାଉଛି । ଏହା ଫଳରେ ମହାନଦୀରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ଟା ସମୟରେ ଏହାର ଜଳସ୍ତର ୬୦୭.୩୭ ଫୁଟ ରେକର୍ଡ କରାଯାଇଛି । ସେହି ସମୟରେ ଉପରମୁଣ୍ଡରୁ ଏହି ଜଳଭଣ୍ଡାର ଭିତରକୁ ୭୭ ହଜାର ୭୭୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିଲା ଓ କୌଣସି ଗେଟ୍‌ ଖୋଲା ନଯାଇ ନିୟମିତ ରୂପେ ୨୩ ହଜାର ୩୩୫ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ବର୍ତ୍ତମାନ ଏହି ସମଗ୍ର ଅଞ୍ଚଳରେ ମାନସୁନ ସକ୍ରିୟ ରହିଥିବାରୁ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏପରି ବ୍ୟାପକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ବର୍ଷାର ପରିମାଣ ହାରାହାରି ୪୩.୪୪ ମିଲିମିଟର ରେକର୍ଡ କରାଯାଇଛି ଓ ସେହି ସମୟରେ ତଳମୁଣ୍ଡରେ ପ୍ରାୟ ୨୫.୬୩ ମିଲିମିଟର ବର୍ଷା ସୋଇଛି । ଏଣୁ ଉପର ମୁଣ୍ଡରୁ ବହୁ ପରିମାଣରେ ବନ୍ୟାଜଳ ଆସିବାର ଆଶଂକା ରହୁଛି ଓ ଏଥିପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ୫ଟି ପର୍ଯ୍ୟନ୍ତ ସ୍ଲୁଇସଗେଟ ଖୋଲାଯିବାର ସମ୍ଭାବନା ରହିଛି, ଯଦିଓ ଏବିଷୟରେ କୌଣସି ଅଧିକୃତ ସୂଚନା ଜାରି କରାଯାଇନାହିଁ ।

Comments (0)
Add Comment