ସମ୍ବଲପୁର,: ଆଜି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଦୁଇଟି ନୂତନ ମାମଲା ସ୍ଥାନୀୟ ଜମାଦାରପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ କରାଯାଇଛି ଓ ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରତିଷ୍ଠିତ କୋଭିଡ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏ ଦୁହିଁଙ୍କ ମଧ୍ୟରୁ ଜଣେ ୨୬ ବର୍ଷୀୟ ପୁରୁଷ, ଯିଏ ଗତ ମେ ୧୬ ତାରିଖ ବିଶାଖାପାଟଣା, ଆନ୍ଧ୍ରପ୍ରଦେଶରୁ ଏଠାକୁ ଆସିଥିଲା ଓ ଅନ୍ୟଜଣକ ୨୨ ବର୍ଷୀୟ ପୁରୁଷ ଯିଏ ଗତ ମେ ୧୭ ତାରିଖ ଉତ୍ତରପ୍ରଦେଶର ଆଗ୍ରାରୁ ଏଠାକୁ ଆସିଥିଲା । ଦୁହିଁଙ୍କୁ ଜମାଦାରପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା ଓ ନିୟମିତ ସେମାନଙ୍କ ପରୀକ୍ଷା ନୀରିକ୍ଷା କରାଯାଉଥିଲା । ଆଜି ପଜିଟିଭ ଚିହ୍ନଟ ହେଲା ପରେ ସେ ଦୁହିଁଙ୍କୁ ଚିକିତ୍ସାପାଇଁ କୋଭିଡ ହସ୍ପିଟାଲ ପଠାଯାଇଛି । ନୂତନ ରୂପେ ଆଜି ଦୁଇଟି ପଜିଟିଭ ମାମଲା ପ୍ରକାଶ ପାଇଲାପରେ ଏଠାରେ ଆତଙ୍କର ବାତାବରଣ ରହିଛି ହେଲେ ଦୁଇଟି ଯାକ ମାମଲା କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିବାରୁ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।