ସମ୍ବଲପୁର : ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ରେ ପହଞ୍ଚିଛି । ଗତ ଦୁଇଦିନ ଧରି ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଶତକରୁ ତଳେ ରହିଛି, ଯଦିଓ ଏହା ଆଗରୁ ପ୍ରାୟ ଦୁଇ ସପ୍ତାହ ଧରି ପ୍ରତିଦିନ ଏହା ଶତାଧିକ ରହୁଥିବାରୁ ସମସ୍ତଙ୍କ ଚିନ୍ତା ବଢି ଯାଇଥିଲା । ପୁଣି ଗତ କିଛିଦିନ ମହାନଦୀରେ ବନ୍ୟା ପରିଦୃଶ୍ୟ ଉପଭୋଗ କରିବା ପାଇଁ ରିଙ୍ଗ ରୋଡରେ ଯେପରି ଜନଗହଳି ବଢି ଯାଇଥିଲା, ସେଥିରୁ ଏହି ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଥିଲା । ସେ ଯାହା ହେଉ ଏହି ଆଶଙ୍କା ଭୁଲ ପ୍ରମାଣିତ ହେବା ସମ୍ବଲପୁର ପାଇଁ ଶୁଭ ସଙ୍କେତ ବୋଲି କୁହାଯାଉଛି । ଆଜିକାର ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ରୁ ୧୪ ଜଣଙ୍କ ମୃତ୍ୟୁ ଓ ୨୦୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ରହିଥିବା ୮୨୭ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଏକ ବିଭ୍ରାନ୍ତିକର ସୂଚନା ଅନୁସାରେ ଏହି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ପ୍ରଶାସନିକ ସୂତ୍ରାନୁସାରେ ୧୪ କୁହାଯାଇଛି, ଯଦିଓ ସ୍ଥାନୀୟ ଲୋକଙ୍କ ଅନୁସାରେ ଏହା ୪୫ରୁ ଊର୍ଦ୍ଧ୍ୱ ରହିଛି । ଅନେକ ଚିହ୍ନା ପରିଚିତ ଲୋକଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥିଲେ ମଧ୍ୟ ସରକାରୀ ତାଲିକାରେ ଏହା କାହିଁକି ସ୍ଥାନ ପାଇ ପାରୁନାହିଁ, ତାହାହିଁ ଏଠାରେ ସର୍ବତ୍ର ଚର୍ଚ୍ଚାର ବିଷୟ ହୋଇଛି ।