ସମ୍ବଲପୁର ଜିଲ୍ଲାର ସ୍ଥିତିରେ କ୍ରମଶଃ ଉନ୍ନତି ଆସିଛି: ଆଜି ୫୪ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଗତ ପ୍ରାୟ ସପ୍ତାହେ ହେବ ସମ୍ବଲପୁର ଜିଲ୍ଲାର ସ୍ଥିତି ରେ କ୍ରମାଗତ ଉନ୍ନତି ଦେଖା ଯିବାରୁ ଜନସାଧାରଣ ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି । ତଥାପି କିଛି ଲୋକଙ୍କ ମତାନୁସାରେ ଗତ କିଛି ଦିନ ହେଲା କରୋନା ଟେଷ୍ଟ ପାଇଁ କମ ସଂଖ୍ୟାରେ ନମୁନା ସଂଗ୍ରହ କରା ଯାଉଥିବାରୁ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ହ୍ରାସପାଉଛି ଓ ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ଏହା ପ୍ରଶାସନର ଏକ ଚାଳ ଛଡା ଆଉ କିଛି ନୁହେଁ । ଏଣୁ ଏଥିରେ ଉତ୍ସାହିତ ହେବାର କୌଣସି ଯଥାର୍ଥ ନାହିଁ ବୋଲି କୁହାଯାଇଛି । ଯେହେତୁ ବାସ୍ତବିକ ସ୍ଥିତି ଆକଳନ ପାଇଁ ଲୋକଙ୍କ କୌଣସି ସାମର୍ଥ୍ୟ ନାହିଁ, ତେଣୁ ଏହି ପରିସଂଖ୍ୟାନକୁ ହିଁ ସତ ବୋଲି ଗ୍ରହଣ କରିବା ଛଡା ଅନ୍ୟ ପନ୍ଥା ନାହିଁ । ଅନ୍ୟପଟେ ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୫୪ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମୁଦାୟ ସଂଖ୍ୟା ୭୩୭୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ପରେ ୬୩୪୬ ଜଣ ସୁସ୍ଥହୋଇ ଘରକୁ ଫେରିଲେଣି ଓ ବାକି ସକ୍ରିୟ ରହିଥିବା ୧୦୦୯ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ୧୧୦ ଜଣ ସମ୍ବଲପୁର କୋଭିଡ ହସ୍ପିଟାଲ, ୧୪୩ ଜଣ ବୁର୍ଲା କୋଭିଡ କେୟାର ସେଣ୍ଟର, ୧୦ ଜଣ କୋଭିଡ କେୟାର ହେମ୍ସ, ୬୯୧ଜଣଙ୍କ ହୋମ ଆଇସୋଲେଶନରେ ରହି ଚିକିତ୍ସା ହେଉଛି । ନବ ଉଦଘାଟିତ ଭିମସାର କୋଭିଡ ହସ୍ପିଟାଲରେ ଏଯାଏଁ ୫ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Comments (0)
Add Comment