ମା ଓ ଝିଅ ନିଖୋଜ ହେବାର ୪ଦିନ ପରେ ମଧ୍ୟ ରହସ୍ୟ ଅବ୍ୟାହତ

ସମ୍ବଲପୁର,୨/୭- ଗତ ସୋମବାର ଦିନରୁ ନିଖୋଜ ମହିଳା ଓ ତାଙ୍କ ଶିଶୁକନ୍ୟା ବିଷୟରେ ସଠିକ କିଛି କୁହାଯାଇ ପାରୁନାହିଁ ଯେ ତାଙ୍କର କଣ ହୋଇଛି, ଏହା ଏଯାବତ ରହସ୍ୟାବୃତ୍ତ ହୋଇରହିଛି । ଆରମ୍ଭରୁ ଏହାକୁ ଏକ ଆତ୍ମହତ୍ୟାର ମାମଲା ବିବେଚିତ କରି ପୁଲିସ ଓ ଅଗ୍ନିଶମଦଳ ପକ୍ଷରୁ ମହାନଦୀଗର୍ଭରେ ସେମାନଙ୍କ ମୃତଦେହ ଖୋଜିବା ଜାରି ରଖାଯାଇଛି ଓ ଏଥିପାଇଁ ଓଡ୍ରାଫର ବୁଡାଳିଦଳର ମଧ୍ୟ ସାହାଯ୍ୟ ନିଆଯାଇଛି । ଆଜି ଚତୁର୍ଥ ଦିନରେ ଏହି ସନ୍ଧାନ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହିଁ । ଅନ୍ୟପଟେ ଏପରି ଏକ ସଙ୍ଗୀନ ମାମଲାରେ କୌଣସି ସାକ୍ଷୀ କିମ୍ବା ପ୍ରତ୍ୟକ୍ଷଦର୍ଶୀ ନଥାଇ ମଧ୍ୟ ମାତ୍ର ଏକ ସମ୍ଭାବନା ଉପରେ ଆଧାରିତ ଏହି ତଦନ୍ତ ବର୍ତ୍ତମାନ ଦିଗହରା ହେବାକୁ ଯାଉଛି । ପ୍ରଥମଦିନ ଏହି ଘଟଣାର ଅନ୍ୟ ପକ୍ଷ ଉପରେ ମଧ୍ୟ ବିଚାର କରାଯାଇଥିଲେ ଏହି ତଦନ୍ତ ଅନ୍ୟ ଦିଗରେ ଆଗେଇ ପାରିଥାନ୍ତା ବୋଲି କୁହାଯାଉଛି । ଯଥା ସେଦିନ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲେ, ଏହା ସ୍ପଷ୍ଟ ହୋଇଥାନ୍ତା ଯେ ନିଖୋଜ ମହିଳା ପୂଜା ଓ ତାଙ୍କର ତିନିବର୍ଷର କନ୍ୟା ସେଠାରୁ ଅନ୍ୟ କୌଣସି ଆଡେ ଯାଇଛନ୍ତି କି ନାହିଁ? ଅନ୍ୟ ପଟେ ନିଖୋଜ ପୂଜାର ମା ଗତକାଲି ଏହି ମାମଲାରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣି ଧମା ପୁଲିସ ଥାନାରେ ଏକ ଏତଲା ଦାଏର କରିଛନ୍ତି । ଏଣୁ ତଦନ୍ତ ପ୍ରକ୍ରିୟାକୁ ଆଗେଇବା ପାଇଁ ଏଠାରୁ ପୁଲିସର ଏକଟିମ ପୂଜାର ଶାଶୂଘର କେସିଙ୍ଗା ଯାଇଛି, ସେଠାରେ ସେମାନେ ଫେରିବା ପରେ ଯୌତୁକ ନିର୍ଯ୍ୟାତନାର ସତ୍ୟାସତ୍ୟ ଜଣାପଡିବ । କଚେରୀ ଛକରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜ ଅନୁଧ୍ୟାନକରି ପୁଲିସ ଜାଣିପାରିଛି ଯେ ସୋମବାର ଅପରାହ୍ନ ପ୍ରାୟ ୨.୩୦ ସମୟରେ ସେଦିନ ପୂଜା ଦ୍ୱାରା ବ୍ୟବହୃତ ସ୍କୁଟର ମହାନଦୀ ସେତୁ ଆଡକୁ ଯାଇଛି କିନ୍ତୁ ସେତୁରେ ପ୍ରବେଶ ପରେ କଣ ହେଲା ତାହା ସ୍ପଷ୍ଟ କରିବା ଏହି କ୍ୟାମେରା କ୍ଷମତା ବାହାରେ । ପୁଣି ମହାନଦୀର ଏହି ଦ୍ୱିତୀୟ ସେତୁର ନିର୍ମାଣ ପରଠାରୁ ସେଠାରେ ଆତ୍ମହତ୍ୟା, ନିଶାଦ୍ରବ୍ୟ କାରବାର ପରି ଅନେକଗୁଡାଏ ଅପରାଧ ଘଟୁଥିବାର ପରିପ୍ରେକ୍ଷୀରେ ବର୍ତ୍ତମାନ ସେଠାରେ ମଧ୍ୟ ସିସିଟିଭି କ୍ୟାମେରାର ଆବଶ୍ୟକତା ଅନୁଭବ କରାଯାଉଛି ବୋଲି ପୁଲିସ ଅଧିକ୍ଷକ କହିଛନ୍ତି ।

Comments (0)
Add Comment