ସମ୍ବଲପୁର : ସାମାଜିକ ଗଣମାଧ୍ୟମ ଫେସବୁକରେ କିଛି ବ୍ୟକ୍ତିବିଶେଷଙ୍କ ନାରେ ନକଲି ଏକାଉଣ୍ଟ ଖୋଲି ଏହାର ଅସଦ ବ୍ୟବହାର ବର୍ତ୍ତମାନ ଏକ ନିତିଦିନିଆ ଘଟଣା ହୋଇଯାଇଛି । ଏହି କ୍ରମରେ ସମ୍ବଲପୁର ସାଂସଦଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଅସାମାଜିକ ଓ ଅପରାଧିକ କାର୍ଯ୍ୟ କରୁଥୁବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଠାକାର ସାଇବର ଥାନାରେ ଏକ ଏତଲା ଦିଆଯାଇଛି । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ପାଇଁ ନିଯୁକ୍ତ ତାଙ୍କର ପ୍ରତିନିଧି ମୋହନ ଦାଶ ଏହି ଏତଲା ଦେଇଛନ୍ତି ବୋଲି ଭାଜପାର କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କଠାରୁ ପ୍ରକାଶ । ଅସଲି ଓ ନକଲି ଉଭୟ ଆକାଉଣ୍ଟଙ୍କ ମଧ୍ୟରେ ମାତ୍ର ଗୋଟିଏ ଅକ୍ଷରର ତଫାତ ରହିଛି, ଯାହା କି ସାଧାରଣତଃ ଲୋକେ ଧରିପାରୁ ନାହାନ୍ତି ।
ଏହାପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଓ ସମ୍ବଲପୁର ବିଧାୟକ ନାରେ ଏପରି ଅପରାଧ କରିବା ଅଭିଯୋଗରେ ଜଣେ ବାରମ୍ବାର ଗିରଫ ହୋଇଛି । ଏପରିକି ସେ ଏହି ନକଲି ଆକାଉଣ୍ଟ ବଳରେ କିଛି ଲୋକଙ୍କ ଠାରୁ ଅର୍ଥ ଆଦାୟ କରିଥିବା ଅଭିଯୋଗ ଆସିଥିଲା । କିନ୍ତୁ ସେ ଜଣେ ନାବାଳକ ଥିବାରୁ ତା ବିରୁଦ୍ଧରେ କୌଣସି କଡା କାର୍ଯ୍ୟାନୁଷ୍ଠାନ କରାଯିବା ସମ୍ଭବ ହୋଇ ନ ଥିଲା ।