ସମ୍ବଲପୁର ଜିଲ୍ଲାରେ ପୁଣି ୧୩୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୧୩୦ ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ପୁଣି ସଙ୍କଟ ଆଡକୁ ମୁହାଁଉଛି । ବିଗତ ତିନିଦିନ ଧରି ନିରନ୍ତର ପ୍ରତିଦିନ ଶତାଧିକ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସହିତ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି । ପ୍ରତିଦିନ ହାରାହାରି ତିନି ଜଣ କରୋନା ଯୋଗୁଁ ମୃତ୍ୟୁ ଘଟୁଛି, କିନ୍ତୁ କେଜାଣି କେଉଁ କାରଣରୁ ପ୍ରଶାସନ ଏମାନଙ୍କ ସଂଖ୍ୟା ଚାପି ରଖୁଛି ଓ ଏଥିରେ ପାରଦର୍ଶିତା ର ସର୍ବଥା ଅଭାବ ଦେଖାଯାଉଛି । ଏପର୍ଯ୍ୟନ୍ତ ମିଲିଥିବା ତାଜା ସ୍ଥିତି ଅନୁସାରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୪୧୧୭ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୬ଜଣଙ୍କ ମୃତ୍ୟୁ ପରେ ୩୦୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ବାକି ୧୦୧୧ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଜିଲ୍ଲା ର ସମସ୍ତ କୋଣ ଅନୁକୋଣରେ କରୋନାର ପ୍ରବେଶ ହୋଇ ସାରିଛି, କିନ୍ତୁ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହାର ପ୍ରକୋପ ଅଧିକ ଦୃଷ୍ଟିଗୋଚର ହେଉଛି । ଏହାର ଏକମାତ୍ର କାରଣ ଗ୍ରାମାଞ୍ଚଳରେ ଲୋକେ ଅନେକାଂଶରେ ସଜାଗ ଓ ସଚେତନ ରହୁଥିବା ସ୍ଥଳେ ସହରାଞ୍ଚଳରେ କେହି କୌଣସି କଟକଣା ମାନୁନାହାନ୍ତି । ଘରୁ ବାହରକୁ ଯିବା ମାତ୍ରେ ମୁହଁ ରେ ମାସ୍କ ପିନ୍ଧିବା ହେଲା ଏକ ଅତି ଛୋଟ କଟକଣା, ଯାହାର ପରିପାଳନ ହୋଇ ପାରୁନାହିଁ ଓ ଯେଉଁଥି ପାଇଁ ପ୍ରତି ଦିନ ହଜାର ହଜାର ଟଙ୍କା ଲୋକମାନେ ଜୋରିମାନା ଭରୁଛନ୍ତି । ପୁଣି ସାମାଜିକ ଦୂରତା ନିୟମ ପ୍ରତି କାହାରି ଭୃକ୍ଷେପ ନାହିଁ ଓ ଦୋକାନ ବଜାରରେ ଜନଗହଳି ରହୁଛି । ଲୋକଙ୍କ ଏପରି ଅମାନିଆ ପ୍ରବୃତ୍ତିକୁ ନେଇ ପୁଲିସ ବର୍ତ୍ତମାନ ନୟାନ୍ତ ହେଉଛି ଓ ସ୍ଥାନେ ସ୍ଥାନେ ନାକା ଲଗେଇ ଯାଞ୍ଚ ଓ ଜୋରିମାନା ଆଦାୟ ପ୍ରକ୍ରିୟା ଜାରି ରହିଛି । ଅନେକ ସ୍ଥାନରେ ମାସ୍କ ଓ ହେଲମେଟ ଦୁହିଟିଯାକ ପିନ୍ଧି ନ ଥିବାରୁ ଡବଲ ଜୋରିମାନା ଭରି ମଧ୍ୟ ଲୋକେ କଟକଣା ମାନୁ ନାହାନ୍ତି ଓ ସ୍ୱଚ୍ଛନ୍ଦରେ ବୁଲାବୁଲି କରୁଛନ୍ତି । ଏପରିକି କରୋନା ଯୋଗୁଁ ଆତ୍ମୀୟ ସ୍ୱଜନଙ୍କୁ ହରାଇ ମଧ୍ୟ ଲୋକଙ୍କ ମନରେ ଚେତା ପଶୁ ନାହିଁ । ଏପରି ଜିଦଖୋର ଅମାନିଆଙ୍କ ଯୋଗୁଁ ସହରାଂଚଳରେ କରୋନା ନିୟନ୍ତ୍ରଣାଧିନ ହୋଇ ପାରୁନାହିଁ, ଯାହାକି ଚିନ୍ତା ର ବିଷୟ ହୋଇଛି ।

Comments (0)
Add Comment