ୱାକାଥନ ଜରିଆରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ

ସମ୍ବଲପୁର:ଆଗାମୀ ରବିବାର ଜୁଲାଇ ୧୦ ତାରିଖ ଦିନ ସକାଳ ୬ଟା ସମୟରେ ଏକ ୱାକାଥନ ଜରିଆରେ ଆଜାଦୀ କା ଅମୃତ ମହୋତ୍ସବର ଆୟୋଜନ ହେବା ଘୋଷଣା କରାଯାଇଛି । ଏହାର ଆୟୋଜକ ଜେଏସଡବ୍ଲୁ ଇସ୍ପାତ କାରଖାନା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଏହାକୁ ସମ୍ବୋଧିତ କରି ଆୟୋଜକଙ୍କ ପକ୍ଷରୁ କମ୍ପାନୀ ଉପସଭାପତି ଧନଞ୍ଜୟ ସିହ୍ନା, ଏଭିପି ଆଶିଷ ଦାସ, ଏଭିପି ଅନୁପମ ସିହ୍ନା, ମହା ପ୍ରବନ୍ଧକ ରଞ୍ଜିତ ଘୋଷ, ପ୍ରବନ୍ଧକ (ଜନ ସମ୍ପର୍କ) ଦୀପକ ରଞ୍ଜନ ଓ ଜନ ସମ୍ପର୍କ ଅଧିକାରୀ ପ୍ରମୋଦ ପାତ୍ର ଆଦି ସୂଚନା ଦେଇ ଥିଲେ । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ କମିଶନର କଲୋନୀ କ୍ରିକେଟ କ୍ଲବ ପଡ଼ିଆରୁ ପ୍ରାତଃ ୬ଟା ସମୟରୁ ଏହି ୱାକାଥନ ଆରମ୍ଭ ହେବ । ସେଠାରୁ ଜେଲଛକ, ସହୀଦ ଛକ, ରିଙ୍ଗ ରୋଡ, ବାଲିବନ୍ଧା, କୁଞ୍ଜେଲପଡା ଛକ, ମୁଦିପଡା ଛକ, ଲକ୍ଷ୍ମୀ ଟିକିଏ ଛକ ଓ ପୁଣି ଜେଲଛକ ବାଟଦେଇ ପ୍ରାୟ ୬ କିମି ଅତିକ୍ରମ କରି ପୁଣି ସେହି ପଡ଼ିଆରେ ସମାପ୍ତ ହେବ । ଏଥିରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ଆୟୁର କୌଣସି ପୁରୁଷ ଓ ମହିଳା ସାମିଲ ହୋଇପାରିବେ ଓ ଉଭୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ମନରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଆଣିବା ଏହାର ଲକ୍ଷ୍ୟ ଓ ଏଥିରେ ସାମିଲ ଲୋକଙ୍କ ମଧ୍ୟରୁ ପ୍ରଥମ ତିନି ସ୍ଥାନ ଅଧିକାର କରିଥିବା ଲୋକଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକୃତି ମିଳି ସାରିଛି ଓ ଜିଲ୍ଲା ପୁଲିସ ଓ ସ୍ୱାସ୍ଥ୍ୟ ପ୍ରଶାସନ ଆବଶ୍ୟକ ସହଯୋଗ ଦେବାପାଇଁ ରାଜି ହୋଇଛନ୍ତି ।

Comments (0)
Add Comment