ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ସମ୍ବଲପୁର: ଯୁକ୍ତ ତିନି ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନର ଫଳ ପ୍ରକାଶ କରିବାରେ ଅହେତୁକ ବିଳମ୍ବର ପ୍ରତିବାଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମୁଖ୍ୟଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଆଗକୁ ପିଜି ଓ ବିଇଡିର ଏଣ୍ଟ୍ରାନ୍ସ ଥିବାରୁ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ରହିଛନ୍ତି । ପୂର୍ବରୁ ଜୁନ ୨୦ ତାରିଖରେ ଫଳ ପ୍ରକାଶନ ଦାବୀକୁ ନେଇ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । କର୍ତ୍ତୃପକ୍ଷ ୧୫ଦିନ ମଧ୍ୟରେ ଫଳ ପ୍ରକାଶନ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫଳପ୍ରକାଶ କରିବାରେ ବିଫଳ ହୋଇଛନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ଖରାରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଅବିଳମ୍ବେ ଫଳ ପ୍ରକାଶନ କରାଯାଉ ବୋଲି ଧାରଣାରେ ବସିଥିଲେ । ଶେଷରେ ଏକ ଛାତ୍ର ପ୍ରତିନିଧି ଦଳ ସହ କର୍ତ୍ତୃପକ୍ଷ ଆଲୋଚନା କଲାପରେ ଅଗଷ୍ଟ ୧୬ରେ ଫଳ ପ୍ରକାଶ କରାଯିବାର ପ୍ରତିଶୃତି ଦିଆଗଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ବିକ୍ଷୋଭରେ ଛାତ୍ର ସଂଘ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁନୀଲ ଭୋଇ, ରାଜ୍ୟ ପରିଷଦ ସଭ୍ୟ ଓ ବଲାଙ୍ଗିର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ବଲାଙ୍ଗୀର ଜିଲ୍ଲା ସମ୍ପାଦକ ମଧୁସୁଦନ ବାଗ, ଗୌରୀ ରାଉତ କମଲେଶ ଦୀପ, ଶ୍ରୀବନ୍ତ ସୁନା, ସିପୁନ ନାଏକ, ମିତେଶ ବାଗ, ନୂତନ କୁମାର ହୋତା ଓ ପ୍ରତିମା କୁମ୍ଭାରଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ସାମିଲ ରହିଥିଲେ ।

Comments (0)
Add Comment