ଦଶପଲ୍ଲା: ନୟାଗଡ଼ ସହରରେ ଛୋଟ ବଡ଼ ଅନେକ ହୋଟେଲ ଓ ଲଜ୍ ରହିଛି । ସେଗୁଡ଼ିକ ମଧ୍ୟରୁ କିଛି ନିୟମ ମାନି ଚଳୁଥିବାବେଳେ କିଛି ବେନିୟମ ଭାବେ ଚାଲିଛି । ଗଳିକନ୍ଦିରେ ଚାଲୁଥିବା ଅନେକ ହୋଟେଲ ଏବଂ ଲଜ୍ରେ ଖାତା ଖତିଆନ ନ ଥିବାବେଳେ ଖୁଲମଖୋଲା ଦେହ କାରବାର ଚାଲୁଥିବା ଅଭିଯୋଗ ହେଉଛି । ଏପରିକି ହୋଟେଲକୁ ଆସୁଥିବା ଗ୍ରାହକଙ୍କ ସମ୍ବନ୍ଧରେ ପୁଲିସକୁ ପ୍ରତ୍ୟେକ ଦିନ ସୂଚନା ଦେବାକୁ ନିୟମ ରହିଥିଲେ ମଧ୍ୟ ତାହା କେବଳ ନିୟମରେ ରହିଯାଇଛି । ୭ ଦିନରେ ଥରେ ଡିଆଇବି ବିଭିନ୍ନ ଲଜ୍ ସମ୍ବନ୍ଧୀୟ ସୂଚନା ମଧ୍ୟ ରଖୁବାର ନିୟମ ରହିଛି । ମାତ୍ର କେତୋଟି ହାତଗଣତି ସଂସ୍ଥାକୁ ଛାଡ଼ିଦେଲେ ଅନେକ ସଂସ୍ଥା ନିୟମ ମାନୁ ନ ଥିବା ଜଣାଯାଇଛି ।
ଏପରିକି ସହରରେ ବେଆଇନ ଭାବେ କିଛି ଘରୋଇ ଲଜ୍ ରହିଥିବା ଜଣାଯାଇଛି । ବିଭିନ୍ନ ସମୟରେ ଲଗୁଡ଼ିକରେ ଅପରାଧୀକ ମାମଲା ଘଟୁଥିଲେ ମଧ୍ୟ ପୁଲିସ କାହିଁକି ନିରବ ରହୁଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତ ଦିନରେ ନୟାଗଡ଼ରେ ଥିବା ପାତ୍ର ଲଜ୍ ଏବଂ ସତ୍କାର ଲଜ୍ରେ କିଛି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାହାରୁ ଆସି କିଏ ଆତ୍ମହତ୍ୟା କରିଛି ତ ପୁଣି କାହାକୁ ହତ୍ୟା କରିବାର ଅଭିଯୋଗ ଆସିଛି । ନୟାଗଡ଼ ସହରରେ ୧୦ରୁ ଉର୍ଦ୍ଧ୍ୱ ଲଜ୍ ଏବଂ ହୋଟେଲ ରହିଛି । ସେଗୁଡ଼ିକ ମଧ୍ୟରୁ ୪ଟି ଲଜ୍ରେ ନିୟମିତ ଦେହ କାରବାର ଚାଲୁଥିବା ଅଭିଯୋଗ ହେଉଛି । ହୋଟେଲ ଚଳାଇଥିବା କିଛି ଅସାମାଜିକ ବ୍ୟକ୍ତି ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ସ୍ଥାନୀୟ ଦେହଜୀବୀଙ୍କୁ ଯୋଗାଯୋଗ କରି ହୋଟେଲ ପରିଚାଳକମାନେ ଆଣୁଥିବା ଏବଂ ଗ୍ରାହକଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରୁଥିବା ଜଣାଯାଇଛି ।