ଘାସ ଲତାରେ ଲୁଚି ଗଲାଣି ହରିଶଙ୍କର ଶିଶୁ ଉଦ୍ୟାନ : ପ୍ରଶାସନ ସାଜିଛି ନିଦାବିଷ୍ଣୁ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଥିବା ଶିଶୁ ଉଦ୍ୟାନଟି ଘାସ ଲତା ମାଡ଼ି ଯାଇ ସମ୍ପୂର୍ଣ୍ଣ ଲୁଚିଯାଇଥିବା ଦେଖିବାକୁ ମିଳିଛି । ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଖତ ଖାଉଛି । ସୂଚନା ଅନୁସାରେ ୭ ବର୍ଷ ତଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବିଭିନ୍ନ ପ୍ରକଳ୍ପ ସହ ଏହି ଶିଶୁ ଉଦ୍ୟାନଟି ନିର୍ମାଣ କରାଯାଇଥିଲା । ଏହି ଉଦ୍ୟାନରେ ପର୍ଯ୍ୟଟକଙ୍କ ଛୋଟଛୋଟ ଶିଶୁମାନେ ବିଭିନ୍ନ ଦୋଳି, ଚୌକି, ଖସଡ଼ା ସ୍ଥଳ ବ୍ୟବହାର କରି ମଜା ନେଉଥିଲି । ହେଲେ କୋଭିଡ ସମୟରେ ଉପଯୁକ୍ତ ରକ୍ଷଣା ଅଭାବରୁ ଏହା ଘାସ ଲତା ମାଡ଼ି ଯାଇ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଯାହାଫଳରେ ହରିଶଙ୍କର ଆସୁଥିବା ଶିଶୁ ମାନେ ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ଏହାର ମରାମତି କରିବାକୁ ଦାବୀ ହେଉଛି । ଏନେଇ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ା.ବିଜୟାନନ୍ଦ ସେଠୀଙ୍କୁ ପଚାରିବାରୁ ଏହି ଶିଶୁ ଉଦ୍ୟାନଟି ପୁରୁଣା ଅଟେ, କୋଭିଡ୍‌ ପରେ ଏହା ଆହୁରି ଖରାପ ହୋଇଛି । ଏବେ ହରିଶଙ୍କରର ଉନ୍ନୟନ ପାଇଁ ମାଷ୍ଟର ପ୍ଲାନ୍‌ରେ କାମ ଆରମ୍ଭ ହୋଇଛି । ଏହି ପ୍ଲାନ୍‌ ଅନୁସାରେ ନୂତନ ଶିଶୁ ଉଦ୍ୟାନ ମଧ୍ୟ ନିର୍ମାଣ ହେବ ବୋଲି କହିଛନ୍ତି ।

Comments (0)
Add Comment