ଗଣିଆ / ଦଶପଲ୍ଲା : ଦିନକୁ ଦିନ ଅଶାନ୍ତ ହେଉଛି ଦଶପଲ୍ଲା ଓ ଗଣିଆ ବନାଂଚଳ । ବୃଦ୍ଧି ପାଉଛି ଶୀକାରୀଙ୍କ ପ୍ରାଦୁର୍ଭାବ । ବନବିଭାଗ ନୁହେଁ ବରଂ ଶୀକାରୀଙ୍କ କବ୍ଜାରେ ରହିଛି ବଣ ଜଂଗଲ । ସରକାରଙ୍କ ଠାରୁ ମୋଟା ଅଂକର ଦରମା ପାଉଥିବା ବନକର୍ମଚାରୀଙ୍କ ଦାୟିତ୍ବହୀନତା ଓ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଦବଦବା ଜାହିର୍ କରୁଛନ୍ତି ଜଂଗଲ ମାଫିଆ । ଏପଟେ ବାଘ ଗଣନା ଚାଲିଥିବାବେଳେ ସେପଟେ ଗଣିଆ ବନାଞ୍ଚଳର ମଧ୍ୟଖଣ୍ଡ ଫରେଷ୍ଟ ସେକ୍ସନରୁ ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଓ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗତ ଜାନୁଆରୀ ମାସରେ ଗଣିଆ ବନାଞ୍ଚଳ ଅନ୍ତର୍ଗତ ଖଳିସାହି ଗାଁର ତ୍ରିନାଥ ପ୍ରଧାନ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ। ସେଠାରେ କଲରାପତରିଆ ବାଘ ଛେଳିକୁ ଶିକାର କରି ଖାଇଥିଲା। ତ୍ରିନାଥ ରାଗିଯାଇ କାଚପଲ୍ଲୀର ବିମ୍ବାଧର ନାୟକ ଓ ରାମଚନ୍ଦ୍ର ଦଳବେହେରା ସହିତ ଅନ୍ୟ ୨ ଯୁବକ ବିଦ୍ୟୁତ ତାର ବିଛାଇ ବାଘକୁ ଶିକାର କରିଥିଲେ । ପରେ ବାଘ ଛାଲକୁ ବିକ୍ରି କରିବାପାଇଁ ନିଷ୍ପତି ନେଇଥିଲେ । କୌଣସି ସୂତ୍ରରୁ ନୟାଗଡ ବନାଞ୍ଚଳ ଅଧିକାରୀ ଓ ମହାନଦୀ ୱାଇଲାଇଫ ବନାଞ୍ଚଳ ଅଧିକାରୀ ଖବର ପାଇ ଚଢ଼ାଉ କରିଥିଲେ। ତ୍ରିନାଥ ଘରୁ ବାଘ ଛାଲ ଜବତ ହେବା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି । ୨ ଅଭିଯୁକ୍ତ ଙ୍କ ଠାରୁ ଶିକାରରେ ବ୍ୟବହୃତ ବିପୁଳ ପରିମାଣର ଶୀକାର ସାମଗ୍ରୀ ଜବତ ହୋଇଛି। ବିମ୍ବାଧର ଓ ରାମଚନ୍ଦ୍ର ଶିକାର ଓ ଜନ୍ତୁ ମାରିବାରେ ସହଯୋଗ କରିବା ସହ ମାଂସ ବିକ୍ରି କରୁଥିଲେ। ଆଜି ୩ ଶିକାରୀକୁ ଗଣିଆ ବନାଞ୍ଚଳ ଅଧିକାରୀ ଗିରଫ କରି କୋର୍ଟଚାଲାଣ କରିଥିବା ନୟାଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।