ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆଁ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ଏହା ସହ ବିଭିନ୍ନ ବିଭାଗର ୬୭ଗୋଟି ଜନକଲ୍ୟାଣକାରୀ ଯୋଜନାର ଶୁଭ ଉଦଘାଟନ କରିବା ସହିତ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧.୫୩.୯୦୨ ଜଣ ହିତାଧିକାରୀ ନୁଆଁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବା ସହ ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମ୍ୟଞ୍ଚଳର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮୭୪୫ ଜଣ ହିତାଧିକାରୀ ଏହି ଯୋଜନାରେ ଲାଭନ୍ୱିତ ହେବେ । ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାଚିକିତ୍ସା କ୍ଷେତ୍ରରେ ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଥିବା ବେଳେ ୧୪୮,୦୪,୮୨୦୦୦ ଅଟକଳ ଥାଇ ୩୫ ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ୫.୩୪,୦୬୦୦୦ ଟଙ୍କା ବ୍ୟୟରେ ସହର ଉପକଣ୍ଠରେ ନିର୍ମିତ ଟାଉନ ହଲ ।
ଏହି ପରିପ୍ରେକ୍ଷୀରେ ବିଜୁପଟ୍ଟନାୟକ ସୁଇମିଙ୍ଗ ପୁଲ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ବିଶେଷ ଉପହାର ହୋଇଛି । ୪.୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣାଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ପାଇଁ ଏକ ନୂତନ ଯୁଗର ବାର୍ତ୍ତାବହ ହୋଇପାରିବ ବୋଲି ଆଜି ନୂତନ ଟାଉନ ହଲ ପରିସରରେ ଆୟୋଜିତ ସଭାରେ ଉପସ୍ଥିତ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରକାଶ କରିଥିଲେ ।