ସାପ କାମୁଡାରେ ଜଣେ ମୃତ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚ଼ାୟତ ଗୁଦାଦଣି ଗାଁରେ ଗୁରୁବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର ସକାଳୁ ନିଜ ଘରେ ନିଜମା ସହ ଶୋଇଥିବା ଅବସ୍ଥାରେ ଜଣେ ୬ ବର୍ଷର ନାବାଳିକାକୁ କୌଣସି ଏକ ବିଷାକ୍ତ ସାପ କାମୁଡି ଦେବାରୁ ତାର ମୃତ୍ୟୁ ହୋଇଛି । ତେବେ ଗୁଦାଦଣି ଗାଁର ଶିବ କହଁରଙ୍କ ୬ ବର୍ଷର ଝିଅ ମାମିତା କହଁର ନିଜ ମାଆ ସାଙ୍ଗରେ ଶୋଇଥିବା ସମୟରେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ଭୋର ୪ଟା ସମୟରେ ପରିବାର ଲୋକେ ଗ୍ରାମବାସୀଙ୍କ ସହେଯାଗରେ ପ୍ରଥମେ ନୁଆପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ପାଇଁ ନେଉଥିବା ବେଳେ ସେଠାରେ ଡାକ୍ତର ନଥିବାରୁ କାର୍ଯ୍ୟରତ ମ୍ୟାଲେରିଆ ସୁପରଭାଇଜର ସମ୍ପୃକ୍ତ ନାବାଳିକାକୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ପରେ ପରିବାର ଲୋକେ ନାବାଳିକାକୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଫିରିଙ୍ଗିଆ ଡାକ୍ତର ଖାନାରେ ଡାକ୍ତର ଅନୁରାଗ କୋଟା ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଡାକ୍ତରଖାନାରେ ଫିରିଙ୍ଗିଆ ପୋଲିସ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୧/୨୦୨୧ ରେ ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି .ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି । ସେହିପରି ଆଉ ଏକ ଘଟଣାରେ ଗୁରୁବାର ସକାଳୁ ଫିରିଙ୍ଗିଆ ନେଡିପଦରଠାରେ ଥିବା ଅନୁସୁଚିତ ଜାତି ଓ ଜନଜାତି ବିଭାଗ ବାଲିକା ବିଦ୍ୟାଳୟର ଛାତ୍ରୀନିବାସରେ ରହିଥବା ଜଣେ ଦଶମ ଶ୍ରେଣୀର ଛାତ୍ରୀକୁ ଏକ ବିଷାକ୍ତ ସାପ କାମୁଡିବାରୁ ସ୍କୁଲ କର୍ତ୍ତୃପକ୍ଷ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀ ଜଣକ ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଗାଁର ବୋଲି ଜଣାପଡିଥିବା ବେଳେ ବର୍ତ୍ତମାନ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ନେଡିପଦର ଆଶ୍ରମର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢୀ ସୂଚନା ଦେଇଛନ୍ତି ।

Comments (0)
Add Comment