କୋଶଳ ଆବାସିକ ବିଦ୍ୟାଳୟରେ ତିନିଦିନିଆ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୁବର୍ଣ୍ଣପୁର,୧୧/୬- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରସ୍ଥିତ କୋଶଳ ଆବାସିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୋନପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ଦାଶ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟର ସଭାପତି ଶ୍ରୀବତ୍ସ ମଲ୍ଲିକ ଓ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ, ଆଇନଜୀବୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କୋଶଳ ଆବାସିକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପରମାନନ୍ଦ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ସମ୍ପାଦକ ସଞ୍ଜୟ କୁମାର ସାହୁ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୀର୍ଘ ଦୁଇବର୍ଷ ପରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଥିବାରୁ ଗୁରୁମା ଓ ଗୁରୁଜୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଭାରତୀୟ ପଦ୍ଧତି ରେ ଶିଶୁ ଓ ଗୁରୁ ମଧ୍ୟରେ ସୁ ସମ୍ପର୍କ ରହିବା କଥା, ସମାଜକୁ ସୁଧାରିବାରେ ଗୁରୁମା ଓ ଗୁରୁଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜି ପ୍ରଶିକ୍ଷକ ଭାବରେ ସୋନପୁରର ଦିପ୍ତିମୟୀ ରଥ, ବୌଦ୍ଧ ଜିଲ୍ଲାର ଶଶାଙ୍କ ଶେଖର ଶାସିନି ଓ ଅଶୋକ ପୁରୋହିତ ଓ ବଲାଙ୍ଗୀର ଜିଲ୍ଲାର ବିଜୟ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହପ୍ରଧାନ ଆଚାର୍ଯ୍ୟ ସ୍ମିତାରାଣୀ ନାଏକ ପରିଚାଳନା କରିଥିଲେ ।

Comments (0)
Add Comment