ସୁବର୍ଣ୍ଣପୁର :ସହରକୁ ଛୁଇଁଲା ସଂକ୍ରମଣ, ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌

ସୋନପୁର : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ସୋନପୁର ସହରକୁ କରୋନା ଛୁଇଁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସହରରେ ଅଧିକ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସହରର ୧୦ନଂ ୱ।ର୍ଡ଼ର ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳର ଜଣେ ୧୭ ବର୍ଷୀୟ ଯୁବକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସହରବାସୀଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ସେହିପରି ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଞ୍ଚାୟତ ପହଣ୍ଡି ଅଞ୍ଚଳର ଜଣେ ୨୬ବର୍ଷୀୟ ଯୁବକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସେଥିମଧ୍ୟରୁ ଅଧିକାଂଶ ସୁସ୍ଥହୋଇ ସାରିଛନ୍ତି । ସହରରେ ଆକ୍ରାନ୍ତ ଥିବା ଯୁବକଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ତଥା ସେ କାହାକାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ଚାଲିଥିବାର ଜଣାଯାଇଛି । ସହରରେ ଜାରି କରାଯାଇଥିବା କଣ୍ଟେନମେଣ୍ଟ ଜୋନର ସମସ୍ତ ୫୫ ପରିବାରର ସମସ୍ତ ଙ୍କପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସ୍ୱାସ୍ଥ୍ୟ ସଂବନ୍ଧୀତ ସମସ୍ତ ବ୍ୟବସ୍ଥା ପାଇଁ ଅଧିକାରୀ ମାନଙ୍କ ଏକ ଗ୍ରୁପ୍ ପ୍ରଶାସନ ଦ୍ୱାରା ଗଠନ କରାଯାଇଛି । ଏହି ଅଞ୍ଚଳ ମଧ୍ୟରେ ଯାନବାହାନ ଚଳାଚଳ ଦୋକାନ ବଜାର ଓ ଲୋକଙ୍କ ଯାତାୟାତ ବନ୍ଦ କରାଯାଇଛି । ଆଜିଠାରୁ ମଧ୍ୟ ସହରର କର୍ଫ୍ୟୁ ସୀମାକୁ ବଢ଼ାଇ ଅପରାହ୍ନ ୪ଟାରୁ ସକାଳ ୬ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

Comments (0)
Add Comment