ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ

ସୁବର୍ଣ୍ଣପୁର,୧୫/୧- ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିଅମ ଠାରେ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଏହି ଉତ୍ସବକୁ ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନିଲ ନରୱେଣ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ମହୋତ୍ସବର ନୂଆ ପଡିଆ ଓ ସହରକୁ ଆହୁରି ସୁନ୍ଦର କରିବାପାଇଁ ଦୃଢ଼ ସଂକଳ୍ପ ନେଇ ଜ଼ିଲ୍ଲାର ବେକାର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତିର ସୁଯୋଗ ପାଇଁ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ସୋନପୁରକୁ ସୁବର୍ଣ୍ଣପୁର ଗଢିବାକୁ ଆପଣ ମାନଙ୍କ ଯେଭଳି ସହଯୋଗ ରହିଥିଲା ଆଗକୁ ଏହାର ଅଭିବୃଦ୍ଧି ପାଇଁ ଆପଣଙ୍କ ସହଯୋଗ ଓ ସମନ୍ୱୟ ଜାରି ରଖିବାକୁ ନିବେଦନ କରିଥିଲେ । ସଭାକୁ ଲୋକସମ୍ପର୍କ ବିଭାଗର ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପ ଜ଼ିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ସଂଯୋଜନା କରିଥିଲେ । ସଭାରେ ସମସ୍ତ ଅତିଥିଙ୍କ ଦ୍ୱାରା ଉତ୍ସବର ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଓଡିଶାର ସୁନାମଧନ୍ୟ କଳାକାରଙ୍କ ଓଡିଶୀ ନୃତ୍ୟ ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଫକୀର ପଟ୍ଟନାୟକ ମଞ୍ଚରେ ବଲିଉଡ ଓ ଓଲିଉଡ଼ ସିଙ୍ଗର ଅଭିଜିତ ମଜୁମଦାର, ମୁନ ମୁନ ସିଂ, ଅର୍ପିତା ଚୌଧୁରୀ, ସଂଜୁ ମହାନ୍ତିଙ୍କ ଦ୍ୱାରା ସଂଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକି ବିଳମ୍ବିତ ରାତି ଯାଏଁ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ ।

Comments (0)
Add Comment