ନିର୍ମାଣ ଶ୍ରମିକ ଜିଲ୍ଲା ତଥା ରାଜ୍ୟ ନିର୍ମାଣର ପ୍ରମୁଖ ବିନ୍ଧାଣୀ: ମୁଖ୍ୟ ଅତିଥି
ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ୨୧୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୧ କୋଟି ୭୯ ଲକ୍ଷ ୩୫ ହଜାର ନିର୍ମାଣ ଶ୍ରମିକ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର,୨୧/୦୧ – ଆଜି ସୋନପୁରସ୍ଥିତ ନୂଆ ଟାଉନହଲ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼, ଭୁବନେଶ୍ୱର ତରଫରୁ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା କୋଠାବାଡ଼ି ଓ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଯୋଗଦାନ କରି ନିର୍ମାଣ ଶ୍ରମିକ ହେଉଛନ୍ତି ଆମ ଜିଲ୍ଲା ତଥା ରାଜ୍ୟର ପ୍ରମୁଖ ବିନ୍ଧାଣୀ ବୋଲି କହିବା ସହ ଯେପରି କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ନ ପଡିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ସହଯୋଗ ନିମନ୍ତେ ଦୃଢ଼ ପ୍ରତିଶୃତି ବଦ୍ଧ, ସମସ୍ତ ନିର୍ମାଣ ଶ୍ରମିକ ହିତାଧିକାରୀ ଏହାର ଲାଭ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀମତୀ ମିଶ୍ର । ସମ୍ମାନିତ ଅତିଥିଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସୋନପୁର ପୌରପରିଷଦ ପୌରାଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ମଧୁସୂଦନ ଓତା, କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦ ସୋନପୁର ଶ୍ରୀ ସୂର୍ଯ୍ୟାଂଶୁ ରୁଟ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଶ୍ରୀଯୁକ୍ତ ଗୋବିନ୍ଦ ମହାରଣା, ସଭାପତି ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତି, ସୁବର୍ଣ୍ଣପୁର ଯୋଗଦେଇ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡ ତଥା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ନିର୍ମାଣ ଶ୍ରମିକଙ୍କ ସହଯୋଗ ଓ ସହାଭାଗିତା ରାଜ୍ୟ ଗଠନରେ ବିଶେଷ ଗୁରୁତ୍ୱ ବହନ କରୁଥିବା ପ୍ରକାଶ କରିଥିଲେ । ଏହି ସହାୟତା ବଣ୍ଟନ ଶିବିରରେ ଜିଲ୍ଲାର ହାରାହାରି ୩୦୦ ଜଣ ନିର୍ମାଣ ଶ୍ରମିକ ଓ ଜିଲ୍ଲାର ସମସ୍ତ ଟ୍ରେଡ଼ ୟୁନିଅନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶିବିରର ସଭା ସଂଯୋଜନା କରିଥିଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସୁଚିଶ୍ମିତା ପାତ୍ର । ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଡିଳେଶ୍ୱର ଖାକା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହିତ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ଉପଯୋଗିତା, କାର୍ଯ୍ୟକାରିତା ତଥା ଯୋଜନା ସମ୍ୱନ୍ଧରେ ବିଶଦ ସୂଚନା ପ୍ରଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ନିରଞ୍ଜନ ପୂଜାରୀ ସଦାସର୍ବଦା ନିର୍ମାଣ ଶ୍ରମିକଙ୍କ ବିକାଶ ନିମନ୍ତେ ସହଯୋଗ କରୁଥିବାରୁ ଶିବିରରେ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଖାକା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିରରେ ଅତିଥି ବୃନ୍ଦ ଡେମୋ ପ୍ରଦର୍ଶନ ପୂର୍ବକ ୭ ଜଣ ନିର୍ମାଣ ଶ୍ରମିକଙ୍କୁ ଯଥା ଲିଲି ଖେତୀ ଓ ଦୀପାଞ୍ଜଳି ପଧାନଙ୍କୁ ପ୍ରସୂତୀ କାଳୀନ ସହାୟତାରେ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା , ମୃତ୍ୟୁ ସହାୟତାରେ ଚକା ସୁନା ଓ ବାସନ୍ତୀ ପୋଢ଼ ପ୍ରତ୍ୟେକଙ୍କୁ ୨ଲକ୍ଷ ଲେଖାଏଁ, ବିବାହ ସହାୟତାରେ ସୂର୍ଯ୍ୟକାନ୍ତି ସା ଓ କୁଶଳେଶ୍ୱର ରଣା ପ୍ରତ୍ୟେକଙ୍କୁ ୫୦,୦୦୦ ଲେଖାଏଁ ଓ ଶିକ୍ଷା ସହାୟତାରେ ତ୍ରିନାଥ ମହାନନ୍ଦଙ୍କୁ ୪୦,୦୦୦ ଟଙ୍କାର ଡେମୋ ସହାୟତା ପ୍ରଦର୍ଶନ କରିଥିଲେ । ଆଜି ଶିବିର ଅବସରରେ ନିର୍ମାଣ ଶ୍ରମିକ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ଜିଲ୍ଲାର ଜିଲ୍ଲାଶ୍ରମ ଅଧିକାରୀଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅନୁମୋଦନ ହୋଇଥିବା ୨୧୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୧ କୋଟି ୭୯ ଲକ୍ଷ ୩୫ ହଜାର ନିର୍ମାଣ ଶ୍ରମିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସହାୟତା ରାଶି ସେମାନଙ୍କୁ ଅନଲାଇନ ମାଧ୍ୟମରେ ତାଙ୍କ ବ୍ୟାଙ୍କ ପାସ ବହି ଜରିଆରେ ପ୍ରଦାନ ବ୍ୟବସ୍ଥା କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅତିଥି ତଥା ଏହି ଶିବିରରେ ଯୋଗ ଦେଇଥିବା ବିଭିନ୍ନ ଟ୍ରେଡ଼ ୟୁନିଅନର ସଭାପତି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment