ସୁବର୍ଣ୍ଣପୁର,୨୭/୮:- ସୋନପୁର ସହର ଦେଇ ଏବେ ଏକ ଅଭିନବ ଷ୍ଟାଇଲରେ ଗଞ୍ଜେଇ ଚୋରାଚାଲାଣ ଚାଲିଥିବା ଦେଖାଯାଉଛି । ଗତ ଦୁଇଦିନ ତଳେ ଦୁଇଟି ଘଟଣା କ୍ରମରେ ଜିଲ୍ଲା ଅବକାରୀ ବିଭାଗ ହାତରେ ସ୍କୁଟି ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ସମୟରେ ଧରାପଡି କୋର୍ଟ ଚାଲାଣ ହୋଇଥିବାବେଳେ ଶନିବାର ପୁଣି ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଆଉଜଣେ ଯୁବକ ସୋନପୁର ପୋଲିସ ହାତରେ ଧରାପଡିଛି । ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସୋନପୁର ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏସଆଇ ସସ୍ମିତା ଭୂତିଆ ତାଙ୍କ ଟିମ ସହ ବୁଢ଼ାରଜା ଛକରେ ଗୋଟାଏ ମେରୁନ ରଙ୍ଗ ସୁଜୁକି ସ୍କୁଟି ନଂ ଓଡି୧୭ଏକ୍ସ – ୯୭୭୧ କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ସ୍କୁଟି ଚାଳକ ସୁବଳୟା ଥାନା ଟେଭାପଦର ଗ୍ରାମର ସଂଗ୍ରାମ କୁମାର କର୍ଡିଆ (୨୭) ନାମକ ବ୍ୟକ୍ତିଙ୍କୁ ସୋନପୁର ଥାନା ପିଏସ କେସ ନଂ ୧୯୮ ରେ ଗିରଫ କରାଯିବାସହ କୋର୍ଟ ଚାଲାଣ କରାହେବା ନେଇ ଏସଡିପିଓ ରାଜକିଶୋର ମିଶ୍ର ସୋନପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସ୍କୁଟିଟି ଜିଲ୍ଲା ପୋଲିସ ବିଭାଗର ଜଣେ ଅଧିକାରୀଙ୍କ ବୋଲି ବେସରକାରୀ ସୂତ୍ରରୁ ଜଣାପଡ଼ିଥିବାବେଳେ ଏ ନେଇ ଅଧିକ ତଦନ୍ତ ଚାଲୁରହିଥିବା ଉକ୍ତ ସମ୍ମିଳନୀରେ ଏସଡିପିଓଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଉକ୍ତ ସମ୍ମିଳନୀରେ ଆଇଆଇସି ପଦ୍ମାସିନୀ ମେହେରଙ୍କ ସମେତ ଏସଆଇ ସସ୍ମିତା ଭୁତିଆ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।