ସୁବର୍ଣ୍ଣପୁର ଜିଲ୍ଲାରେ ଭାରତ ବନ୍ଦ୍‌ର ଜବରଦସ୍ତ ପ୍ରଭାବ ଅନୁଭୂତ

ସୁବର୍ଣ୍ଣପୁର,୨୭/୯- ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଦିଆଯାଇଥିବା ଡାକରା ଯୋଗୁଁ ସମଗ୍ର ଜିଲ୍ଲାରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ,ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ , ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଗାଡି ମୋଟର ସବୁ ବନ୍ଦ ରହିଛି । କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଛି । ତେବେ ଏହି ଆନ୍ଦୋଳନକୁ ବାମ ସାମୁଖ୍ୟ ,ଟ୍ରେଡ଼ ୟୁନିୟନ ,ବଣିକ ସଂଘ ସମେତ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ,ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସହରର ବ୍ଲକ ଛକ ,ନଳିନୀ ଛକ ,ବୁଢାରଜା ଛକ ଆଦିରେ ରାସ୍ତା ଅବରୋଧ କରାଯାଇଛି । ଶହ ଶହ ଆନ୍ଦୋଳନକାରୀ ସକାଳୁ ସକାଳୁ ବିଭିନ୍ନ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ କରି ଦେଇଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ପୁନର୍ବାର କରିବେ ବୋଲି ଚେତାବନୀ ଦେଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଜିର ଏହି ବନ୍ଦ ପାଳନରେ କଂଗ୍ରେସ ଦଳର ବିନୋଦ ପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ସୁଧିର ପଣ୍ଡା, ମାଧବ କୁମ୍ଭାର, ପ୍ରତାପ ଦେହେରୀ, ଟ୍ରେଡ଼ ୟୁନିଅନ ନେତା ଗୋବିନ୍ଦ ମହାରଣା, କର୍ଣ୍ଣରାଜ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା ।

Comments (0)
Add Comment