ସୁବର୍ଣ୍ଣପୁର ଶୀତଳଷଷ୍ଠୀ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସୁବର୍ଣ୍ଣପୁର,୧୭/୬- ଗତକାଲି ରାତିରେ ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ମାତା ଅନ୍ନପୂର୍ଣ୍ଣାଙ୍କ ବିବାହ ଗତକାଲି ଥନାପତିପଡାସ୍ଥିତ କନ୍ୟାପିତାଙ୍କ ବାସଭବନରେ ଲୌକିକ ପରମ୍ପରାକ୍ରମେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସୀମିତଥିବା ଏହିଯାତ୍ରାରେ ଗତକାଲି ସଂଧ୍ୟାରେ ଚନ୍ଦ୍ରଶେଖର ମନ୍ଦିରରୁ ୧୦୮ଭରିର ସୁବର୍ଣ୍ଣ ଚନ୍ଦ୍ରଶେଖର ଅଷ୍ଟ ଶମ୍ଭୁ ,ଅଷ୍ଟ ବିଷ୍ଣୁଙ୍କ ସମେତ ବିଭିନ୍ନ ଦେବତାମାନଙ୍କ ସହ ବରଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଜଗଜ୍ଜନନୀ ମାତା ପାର୍ବତୀଙ୍କ ନିର୍ଦ୍ଧାରିତ ବାସଭବନକୁ ଗମନ କରିବାପରେ ଉକ୍ତ ସ୍ଥାନରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରେ ଆଜି ବିବାହ ମଣ୍ଡପରେ ବରବେଶୀ ଶିବ ନବବଧୁ ପାର୍ବତୀ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । କୋଭିଡ଼ କଟକଣା ଯୋଗୁଁ ଦେବଦମ୍ପତିଙ୍କ ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ଆୟୋଜନ ହୋଇଥିବାବେଳେ ସୁରକ୍ଷା ପାଇଁ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆସନ୍ତାକାଲି ନବପରିଣିତ ଦେବଦମ୍ପତିଙ୍କ ବରପିତାଙ୍କ ବାସଭବନକୁ ବିଜେହୋଇ ପରେ ସ୍ୱସ୍ଥାନକୁ ଗମନ କରିବା କାର୍ଯ୍ୟକ୍ରମ ରହିଛି । କୋଭିଡ଼ କଟକଣା ଯୋଗୁଁ ଏଥର କୌଣସି ରକମର ବାଜାରୋଷଣୀ କି ଶୋଭାଯାତ୍ରାକୁ ବାରଣ କରାଯାଇଥିବା ହେତୁ ଏଥର ମଧ୍ୟ ଶ୍ରଦ୍ଧାଳୁ ସମସ୍ତ ପ୍ରକାର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଉପଭୋଗ କରିବାରୁ ବଞ୍ଚିତ ହେଲେ । କେବଳ ମନ୍ତ୍ରପାଠ, ଶଙ୍ଖଧ୍ୱନୀ ଓ ହୁଳହୁଳି ମଧ୍ୟରେ ବାବା ଚନ୍ଦ୍ରଶେଖର ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ବରପିତାଙ୍କ ପ୍ରତିନିଧି ଭାବରେ ସୋନପୁର ଶାନ୍ତିନଗର ପଡାର ଅର୍ଜୁନ ରଥ ଓ ରାଲିରଥ କନ୍ୟାପିତାଙ୍କ ପ୍ରତିନିଧି ଭାବରେ ଥନାପତିପଡାର ପି ସିମାଞ୍ଚଳ ରାଓ ଓ ପି ରାଜେଶ୍ୱରୀ ସମସ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି ।

Comments (0)
Add Comment