ସୁବର୍ଣ୍ଣପୁର ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର,୨/୪- ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମାରେ ଅବସ୍ଥିତ ନବନିର୍ମିତ ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲା ପ୍ରତିଷ୍ଠା ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଭାଷା ଆନ୍ଦୋଳନରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ମାନିତଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଅମରେଶ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାପତି ପଣ୍ଡା ଏହାକୁ ସଂଯୋଜନା କରିଥିଲେ । ଆରମ୍ଭରେ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀ ଓ ତାଙ୍କ ସାଥୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ଓଡିଆ ତର୍କ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ରାମପୁର ହାଇସ୍କୁଲର ଜ୍ୟୋସ୍ନାମୟୀ ନାଗ, ସରସ୍ୱତୀ ଶିଶୁ ମନ୍ଦିରର ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବୀରମହାରାଜପୁର ହାଇସ୍କୁଲର ବିଶ୍ୱରୂପା ସାହୁ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ କୋଟସମଲାଇ ଜଗନ୍ନାଥ ଏକାଡେମୀର ଶର୍ମିଷ୍ଠାରାଣୀ ବିଶି, ସୁବଳୟା ହାଇସ୍କୁଲର ସଜ୍ଜିତା ମେହେର ଓ ମେଣ୍ଡା ହାଇସ୍କୁଲର ଅଭିଜିତ ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା ।

Comments (0)
Add Comment