ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ

ସୁବର୍ଣ୍ଣପୁର,୮/୯- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସୋନପୁର ପଟାଭାଡିର ଗୋପାଳ ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୨୭ ମାର୍କ ରଖି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଗୋପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ତଥା ପ୍ରଶଂସାର ସୁଅ ଛୁଟିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଗନ୍ନାଥପାଲି ଗାଁର ଶଙ୍କର୍ଷଣ ମେହେର ଓ ସରୋଜିନୀ ମେହେରଙ୍କ ବଡ ପୁଅ ହେଉଛନ୍ତି ଗୋପାଳ । ସେ ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟରେ ଦଶମ ଶେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଦଶମରେ ମଧ୍ୟ ସେ ୯୫ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ରାଜସ୍ଥାନ ସେଣ୍ଟ୍ରାଲ ଅକାଡେମି କଲେଜରେ ଗତ ଶିକ୍ଷାବର୍ଷ ୨୦୨୦ରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିବାସହ ସେଥିରେ ୮୮ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗୋପାଳଙ୍କ ବାପା ଶଙ୍କର୍ଷଣ ଜଣେ ବାନ୍ଧଶିଳ୍ପୀ କାରିଗର ଏବଂ ମା’ ବି ଜଣେ ବାନ୍ଧଶିଳ୍ପୀ । ଉକ୍ତ ପରିବାର ବୀରମହାରାପୁରର ଅଞ୍ଚଳ ଉଲୁଣ୍ଡା ବ୍ଳକ୍‌ ଜଗନ୍ନାଥପାଲି ଗ୍ରାମରେ ବହୁତ ଅସୁବିଧାରେ ରହୁଥିଲେ କିନ୍ତୁ ବିଗତ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ସୋନପୁର ସହର ପଟାଭାଡି ଗ୍ରାମରେ ୱାର୍ଡ ନମ୍ବର ୯ରେ ରହି ତାଙ୍କର କୌଳିକ ବୃତ୍ତି କରୁଛନ୍ତି । ଜଣେ ସୃଜନଶୀଳ ବୁଣାକାର ପରିବାରର ପୁଅ ଭାବରେ ଗୋପାଳଙ୍କ ଏପରି ସଫଳତା ଜିଲ୍ଲାବାସୀଙ୍କପାଇଁ ଗୌରବ ଆଣିଦେଇଛି ।

Comments (0)
Add Comment