ଜିଲ୍ଲାପାଳଙ୍କ ସହ ଓଡିଶା ସାମ୍ବାଦିକ ସଂଘ କର୍ମକର୍ତ୍ତା ଙ୍କ ସୌଜନ୍ୟ ମୂଳକ ସାକ୍ଷାତ, ବିଭିନ୍ନ ବିଭାଗକୁ ସକ୍ରିୟ କରିବା ତଥା ଅନେକ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବୀ

ସୁବର୍ଣ୍ଣପୁର,୪/୨- ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ସହ ଓଡିଶା ସାମ୍ବାଦିକ ସଂଘର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସଂଘ ପକ୍ଷରୁ ପ୍ରଦାନ କରାଯାଉଥିବା ଦୁସ୍ଥ ସାମ୍ବାଦିକଙ୍କ ପରିବାରକୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ସାମାଜିକ ସୁରକ୍ଷା ଓ ପ୍ରତିଭା ସମ୍ମାନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ୨୦୧୦ ମସିହାରୁ ନିରନ୍ତର ଭାବେ ସହଯୋଗ ଜାରି ରଖି ପ୍ରୋତ୍ସାହନ ଯୋଗାଇ ଆସିଥିବାରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଟ୍ରାନ୍ସପୋର୍ଟିଂ ସମସ୍ୟା, ଟାର୍ଗେଟର ଅଭାବ ତଥା ଟୋକନ ସମସ୍ୟାର ବିଭିନ୍ନ ଅବ୍ୟବସ୍ଥାକୁ ସୁଧାରିବା ସହ ଗୋଶ୍ରଦ୍ଧା ପ୍ରକଳ୍ପର ଯତ୍ନ ଓ ସୁରକ୍ଷାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବାକୁ, ନବନିର୍ମିତ ଚାରିଥାକିଆ ରାସ୍ତା ଓ ରିଙ୍ଗ ରୋଡ କାର୍ଯ୍ୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ତଥା ଡାଲିଜାତୀୟ ଚାଷ, କପା ଚାଷ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନକୁ ଅଗ୍ରାଧିକାର ଦେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ସଂଘର କର୍ମକର୍ତ୍ତା ଅନୁରୋଧ କରିଥିଲେ । ସେହିପରି ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ଓ ଜମି ଅଧିଗ୍ରହଣ ସ୍ଥିତି ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ନାମକୁମାତ୍ର ଥିବା ଭ୍ରାମ୍ୟମାଣ ଚିକିତ୍ସାସେବାକୁ ଏକ୍ଟିଭ କରିବାକୁ ଓ ସର୍ବୋପରି ମୋଡେଲ ଭିଲେଜର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିବାସହ ଧାନ ଚୋରାଚାଲାଣକୁ ରୋକିବାସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ମତ ରଖିଥିଲେ । ସେହିପରି ଜିଲ୍ଲାର ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବାକୁ ତଥା ଜ଼ିଲ୍ଲାର ଆଇନ ଶୃଙ୍ଖଳା ବିଷୟରେ ଦୀର୍ଘ ସମୟଧରି ଆଲୋଚନା କରିଥିଲେ । ଗଭୀର ନଳକୂପ ଖନନ ଯୋଜନା ଓ ଧାନ ମଣ୍ଡି ମାନଙ୍କରେ ଚାଷୀମାନେ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନିଜର ଅଭିଜ୍ଞତା ସହ ଯୁବ ସାମ୍ବାଦିକ ରାଜ କିଶୋର ତ୍ରିପାଠୀ ପ୍ରକାଶ କରିଥିଲେ । ପ୍ରାଣୀ ଚିକିତ୍ସାଳୟର କାର୍ଯ୍ୟ ମନ୍ଥରତା ଓ ସେବା ଉପରେ ଜ଼ିଲ୍ଲାପାଳ ନିଜର ଅସନ୍ତୋଷ ଜାହିର କରିଥିବାବେଳେ ରାସ୍ତା ନିର୍ମାଣ ଓ ରିଙ୍ଗରୋଡ଼ କାର୍ଯ୍ୟ ଏପ୍ରିଲ ମାସ ସୁଦ୍ଧା ସଂପୂର୍ଣ୍ଣ ହେବାନେଇ ଦୃଢ଼ ପ୍ରତିଶୃତି ଦେଇ ଜିଲ୍ଲାର ସମସ୍ତ ମଣ୍ଡି ମାନଙ୍କରେ ଟାର୍ଗେଟ ବଢ଼ାଇଥିବା ଓ ଜ଼ିଲ୍ଲାସ୍ତରରେ ରେଲୱେ ପ୍ରକଳ୍ପର କାର୍ଯ୍ୟ ପ୍ରସ୍ତୁତିରେ ଆଉ କିଛି ବାକି ନାହିଁ ବୋଲି ପ୍ରକାଶ କରିଥିଲେ । ଏହି ପ୍ରତିନିଧି ଦଳରେ ସଂଘର ରାଜ୍ୟ ସମ୍ପାଦକ ରାଜକିଶୋର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପଦେଷ୍ଟା ଦିଲ୍ଲୀପ ପାତ୍ର, ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ ଓ ସଭ୍ୟ ତଥା ସଂଘର ଆଇନ ପରାମର୍ଶଦାତା ଲକ୍ଷ୍ମୀନ୍ଦ୍ର ବେଜ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment