ସୁବର୍ଣ୍ଣପୁର,୧୨/୬- ସୋନପୁର କଲେଜ ଆକାଉଣ୍ଟରୁ ଜାଲି ଚେକ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ ଘଟଣାରେ ଖୋଳତାଡ ଜାରିରଖିଛି ସୋନପୁର ପୁଲିସ୍ । ସୋନପୁର ଥାନାରେ ଏସ୍ପି ଅମରେଶ ପଣ୍ଡା ଉପସ୍ଥିତ ରହି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି । ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜିବା ପାଇଁ ଏସ୍ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଆଇଆଇସି ନିରଞ୍ଜନ ଦାସଙ୍କ ମଧ୍ୟ ଚେଷ୍ଟା ଜାରି ରହିଛି । ତେବେ ଘଟଣା ପରେ ସୋନପୁର ବରୋଦା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଦେଖା ଦଇଛି । ବିଶ୍ୱ ବ୍ୟାଙ୍କ ଅଧିନରେ ଚାଲିଥିବା (ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ) ଆଇଡିପି ପ୍ରକଳ୍ପ ପାଇଁ ବ୍ୟାଙ୍କ ଅଫ୍ ବରୋଦା ବ୍ରାଞ୍ଚରେ ଏକ ଆକାଉଣ୍ଟ ଖୋଲା ଯାଇଥିଲା । ତେବେ କଲେଜର ଜଣେ ନିର୍ଦ୍ଦିିଷ୍ଟ କର୍ମଚାରୀ ଟଙ୍କା ନେଣଦେଣ ପାଇଁ ଚେକ୍ ନେଇ ବ୍ୟାଙ୍କକୁ ଆସନ୍ତି । ଗତ ୭ ତାରିଖରେ ଜଣେ ଅପରିଚିତ ବ୍ୟକ୍ତି ଏତେ ଟଙ୍କାର ଚେକ୍ ନେଇ ଆସିଥିବା ଓ ଚେକରେ କିଛି ଅସଂଗତି ଥିବା ସତ୍ତେ୍ୱ ବ୍ୟାଙ୍କ ଅଧିକାରୀ କିପରି ସନ୍ଦେହ କଲେନାଇଁ ସେକଥା ଏବେ ବୁଦ୍ଧିଜୀବି ମହଲକୁ ଚିନ୍ତାରେ ପକାଇଛି । ଚେକରେ ଓଭର୍ ରାଇଟିଂ ଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କିଭଳି ସନ୍ଦେହ ଜାତ ହେଲା ନାହିଁ । ଅନ୍ୟ ସମୟରେ କଲେଜର ଆଇଡିପି ପ୍ରକଳ୍ପ ସଂଯୋଜକ କମର୍ସ ରିଡର ସନ୍ତୋଷ ମହାପାତ୍ରଙ୍କୁ ବ୍ୟାଙ୍କ ପକ୍ଷରୁ ଦେଣନେଣ ସଂପର୍କିତ ସମସ୍ତ କଥା ଫୋନ୍ ମାଧ୍ୟମରେ ଜଣାଇ ଦିଆଯାଇଥାଏ । ଅଜଣା ବ୍ୟକ୍ତି ଦ୍ୱାରା ଏତେ ଟଙ୍କାର ଚେକ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇ ମଧ୍ୟ ତାଙ୍କୁ ଜଣା ହୋଇନଥିବା ସେ ପ୍ରକାଶ କରିଛନ୍ତି । ଉକ୍ତ ଚେକ୍ରେ ଇଂରାଜୀରେ ଲକ୍ଷ ଲେଖାଥିବା ମଧ୍ୟ ଭୁଲ୍ ଲେଖା ଯାଇଛି । ସଂପୃକ୍ତ ବ୍ୟାଙ୍କ କର୍ମଚାରୀ ତାହା ଦେଖି ମଧ୍ୟ କୌଣସି ସନ୍ଦେହ କଲେ ନାହିଁ । ସେହି ଅପରିଚିତ ବ୍ୟକ୍ତି ଉକ୍ତ ଚେକ୍ ନେଇ ବାହାରକୁ ଯାଇଥିଲେ ଏବଂ ୧୦-୧୫ ମିନିଟ୍ ପରେ ଅଧ୍ୟକ୍ଷଙ୍କ ଦସ୍ତଖତ କରି ପୁଣି କାଉଣ୍ଟରକୁ ଫେରିଥିଲେ । କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ମଧ୍ୟ ଚେକ୍ରେ ମେଳ ହେଉନଥିଲା କି ଚେକ୍ ଉପରେ ଦିଆ ଯାଇଥିବା ଷ୍ଟାମ୍ପ ସୋନପୁର କଲେଜ ଲେଖା ନଯାଇ ସୋନପୁର ଡିଗ୍ରୀ କଲେଜ ଲେଖା ଯାଇଥିଲା । ଜାଲ ଚେକ୍ ଉପରେ ଏତେ ସବୁ ଅସଙ୍ଗତି ଥିଲେ ମଧ୍ୟ ବେପରୁଆ ଭାବେ କିପରି ଏତେ ଟଙ୍କା ବ୍ୟାଙ୍କ କର୍ତ୍ତୃପକ୍ଷ ଟ୍ରାନ୍ସଫର କରିଦେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସନ୍ଦେହରେ ଶନିବାର ଦିନ ମଧ୍ୟ ସୋନପୁର ଥାନାକୁ ଡକାଇ ପୁଲିସ୍ ବ୍ୟାଙ୍କର ଦୁଇ ଜଣ କର୍ମଚାରୀଙ୍କୁ ପଚରା ଉଚରା କରିଛି । ପଶ୍ଚିମବଙ୍ଗ କୁଚବିହାରର ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବାରୁ ସୋନପୁର ପୁଲିସ୍ର ଏକ ଟିମ୍ କୁଚବିହାର ଯାଇଥିବା ମଧ୍ୟ ସୂଚନା ମିଳିଛି । ଏଥିରେ ରାଜ୍ୟ ବାହାରର ସାଇବର ଠକ ସଂପୃକ୍ତ ଥିବା ପୁଲିସ୍ ସନ୍ଦେହ କରୁଛି । ଦୁଇ ଜଣ ବ୍ୟକ୍ତି ବ୍ୟାଙ୍କକୁ ଆସି ଟଙ୍କା ଟ୍ରାନ୍ସଫର କରିଥିବା ସିସିଟିଭି ଫୁଟେଜ୍ରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ ସୋନପୁର ବ୍ୟାଙ୍କ ଅଫ୍ ବରୋଦାରେ ଥିବା କଲେଜର ଆଇଡିପି ଆକାଉଣ୍ଟରୁ ଆରଟିଜିଏସ୍ ମାଧ୍ୟମରେ ଜାଲ ଦସ୍ତଖତ କରି ଟଙ୍କା ପ୍ରେରଣ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସୋନପୁର କଲେଜ ଅଧ୍ୟକ୍ଷ ଏନେଇ ଶୁକ୍ରବାର ଥାନାରେ ଅଭିଯୋଗ ଦାଖଲ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ହେଲେ ଘଟଣାକୁ ଯଦି ଅନୁଧ୍ୟାନ କରାଯାଏ ବ୍ୟାଙ୍କ କର୍ମଚାରୀ ଙ୍କ ବିନା ସଂପୃକ୍ତି ରେ ଏତେବଡ଼ ପରିମାଣର ଅର୍ଥ ଯେ ଉଠିପାରିଥିବ ଏକଥାକୁ କେହି ସହଜରେ ଗ୍ରହଣ କରିପାରୁନଥିବା ଜଣାଯାଇଛି ।