ସୁବର୍ଣ୍ଣପୁର ଜିଲ୍ଲାରେ ସଟ୍ ଡାଉନ ପ୍ରଭାବ

ସୋନପୁର,୧୧/୭- କରୋନା ସଂକ୍ରମଣକୁ ରୋକିବାପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାପ୍ରଶାସନ ପକ୍ଷରୁ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟ୍ ଡାଉନ କରିବାକୁ ନିଆଯାଇଥିବା ପ୍ରଭାବ ସମଗ୍ର ଜିଲ୍ଲାରେ ଅନୁଭୂତ ହୋଇଛି । ଆଗତୁରା ଏଥିପାଇଁ ସମସ୍ତ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ଯୋଗେ ଅବଗତ କରାଯାଇଥିବା ବେଳେ ଜନସାଧାରଣ ମଧ୍ୟ ଆକୁଣ୍ଠ ସମର୍ଥନ ଜଣାଇଥିବା ଦେଖାଯାଇଛି । ଏଥିପାଇଁ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ପୁଲିସ ପହରାକୁ କଡ଼ାକଡ଼ି କରାଯାଇ ସହରର ସମସ୍ତ ରାଜପଥରେ କେବଳ ଅତ୍ୟାବଶ୍ୟକ ଯାତାୟତ ଅନୁମତି ଦିଆଯାଉଥିବାବେଳେ ଅକାରଣରେ ଆସୁଥିବା ସମସ୍ତଙ୍କୁ ବାରଣ କରାଯାଉଛି । ଆଜି ମାସର ଦ୍ୱିତୀୟ ଶନିବାର ହେତୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସେମିତିରେ ବନ୍ଦ ଥିବାବେଳେ ଆଜି ସହରର ସମସ୍ତ ଦୋକାନବଜାର ବନ୍ଦ ରହି ଏକ ପ୍ରକାର ଜନଶୂନ୍ୟ ହୋଇପଡିଛି । ସହରକୁ ସଂଯୋଗ କରୁଥିବା ମହାନଦୀ ଓ ତେଲନଦୀ, ବ୍ରିଜ ଛକ, ବ୍ଲକଛକ ତଥା ବିଭିନ୍ନ ଛକମାନଙ୍କରେ ପୁଲିସ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନର ଏତାଦୃଶ ସଟ୍ ଡାଉନ ପଦକ୍ଷେପକୁ ଜନସାଧାରଣଙ୍କ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

Comments (0)
Add Comment