ଧାନର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପରେ ଛନକା ଚୋରା ବେପାରୀ

ସୁବର୍ଣ୍ଣପୁର,୩/୨- ଜିଲ୍ଲାରେ ଧାନର ଚୋରାଚାଲାଣ ରୋକିବାପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ମାଜିଷ୍ଟ୍ରେଟ ମାନଙ୍କ ସହାୟତାରେ ସନ୍ଦେହାସ୍ପଦ ଭାବରେ ଜିଲ୍ଲାରେ ପ୍ରବେଶ କରୁଥିବା ଧାନଗାଡ଼ି ମାନଙ୍କ ଉପରେ ତୀକ୍ଷଣ ନଜର ରଖି ଚଢାଉ କରୁଛନ୍ତି । ଆଜି ଏହି କ୍ରମରେ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା କଳାପଥର ଗ୍ରାମ ନିକଟରେ ଅତିରିକ୍ତ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ଯୋଗାଣ ନିରୀକ୍ଷକ ଦେବାଶିଷ ତ୍ରିପାଠୀ, ସଦର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ଉପସ୍ଥିତିରେ ଟ୍ରକ ନଂ ଓଡି୦୭ଏଚ୨୯୭୧ ଉପରେ ଚଢ଼ାଉକରି ୨୭୨,୧୭ କୁଇଣ୍ଟାଲ ଧାନ ଜବତ କରାଯାଇଛି । ଟ୍ରକଟି ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି ଏବଂ ଡ୍ରାଇଭର୍‌ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଯୋଗାଣ ବିଭାଗ ପକ୍ଷରୁ ଏହିଭିଳି ବାରମ୍ବାର ଚଢ଼ାଉ ଫଳରେ ଚୋରା ଧାନ ବେପାରି ମାନଙ୍କ ମନରେ ଛନକା ପଶିଯାଇଛି । ଜିଲ୍ଲାରେ ଧାନର ବ୍ୟବସ୍ଥିତ ବିକ୍ରୀବଟା ପାଇଁ ପ୍ରଶାସନ ଉଚିତ ପଦକ୍ଷେପ ନେବା ସହିତ ଯେପରି ସମସ୍ତ ଚାଷୀ ନିଜର କଷ୍ଟୋପାର୍ଜିତ ଧାନ ସୁବିଧାରେ ଏବଂ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ ସେଥିପାଇଁ ବିହିତ ବ୍ୟବସ୍ଥା କରାଯାଉଥିବା ଜିଲ୍ଳା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।

Comments (0)
Add Comment