ସୁବର୍ଣ୍ଣପୁରର ସହରାଞ୍ଚଳରେ ଶଟଡାଉନର ପ୍ରଭାବ

ସୁବର୍ଣ୍ଣପୁର,୨୪/୪- ସମଗ୍ର ରାଜ୍ୟରେ ଦିନକୁଦିନ ବଢିବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଆରମ୍ଭ ହୋଇଛି । ସପ୍ତାହର ଶନିବାର ଓ ରବିବାର ୨ଦିନ ଧରି ଜିଲ୍ଲାର ସୁବର୍ଣ୍ଣପୁର ସହର ସମେତ ବିନିକା ଓ ତରଭା ସହରାଂଚଳରେ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଘୋଷଣା କରିଛି । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୨ଦିନିଆ ସଟ୍‌ ଡାଉନ୍‌ରେ ୩ଟି ସହରାଂଚଳର ସମସ୍ତ ଦୋକାନ ବଜାର,ହାଟ ହଟଲି,ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ଏପରିକି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ରାସ୍ତାରେ ଅନ୍ୟ କୌଣସି ଯାନ ବାହାନ ଚଳାଚଳକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଜିଲ୍ଲା ସଦର ମହକୁମା ସୁବର୍ଣ୍ଣପୁର ସହରର ବିଭିନ୍ନ ଛକରେ ୩ପ୍ଲାଟୁନ୍‌ ପୋଲିସ ଜଗିରହି କଡାକଡି ତନଖି କରୁଥିବାବେଳେ ଅମାନିଆଙ୍କଠାରୁ ଜୋରିମାନା ଅର୍ଥ ଆଦାୟ କରୁଛି । ଶଟ୍‌ ଡାଉନ୍‌ ଯୋଗୁଁ ରାସ୍ତାଘାଟ ଓ ସହରର ମୁଖ୍ୟ ବଜାର ସବୁ ଶୂନ୍‌ ଶାନ୍‌ ହୋଇପଡିଛି । ଶଟ୍‌ ଡାଉନ୍‌କୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସମସ୍ତ ପଦକ୍ଷେପ ନିଆଯିବାସହ ଜନସାଧାରଣଙ୍କ ସହଯୋଗ ବି ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥି ସୂଚନା ଦେଇଛନ୍ତି ।

Comments (0)
Add Comment