ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ ଗ୍ରାଫ ତଳମୁହାଁ ତଥାପି କୋଭିଡ କଟକଣା ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର,୧/୨- କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ସଫଳ ହୋଇଛି ଓ ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ ଲଗାତାର ଭାବେ ତଳମୁହାଁ ହେବାରେ ଲାଗିଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବାସହ ସ୍ଥିତିର ପ୍ରତିଦିନ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜନଜୀବନକୁ ବିଶେଷ ବ୍ୟାହତ ନକରି କରୋନା କଟକଣାକୁ ସଠିକ୍‌ ଭାବରେ ପାଳନ କରାଯିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ମୃତ୍ୟୁ ଶୂନ ରହିଛି ଓ ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ନେଇଥିବା ଆବଶ୍ୟକ ପଦକ୍ଷେପରେ ଜନସାଧାରଣଙ୍କ ସ୍ୱତଃ ସହଯୋଗ ଫଳରେ ଜିଲ୍ଲାର କୋଭିଡ ସଂକ୍ରମଣ କମିବାସହ କୋଭିଡ ଗ୍ରାଫ ତଳମୁହାଁ ହେବା ଜିଲ୍ଲାପାଇଁ ଶୁଭ ସୂଚନା । ଜାନୁଆରୀ ୩୧ରେ ୧୩୨୬ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବାବେଳେ ଏବେ ଜିଲ୍ଲାରେ ଆକ୍ଟିଭ ରୋଗୀ ସଂଖ୍ୟା ୪୮୯ ରହିଛି ଓ ୧୭ ଜାନୁଆରୀରେ ଜିଲ୍ଲାରେ ସର୍ବାଧିକ ୯୫୨ ଟି ଆକ୍ଟିଭ କେସ ଥିଲାବେଳେ ଏବେ ଏହି ସଂଖ୍ୟା କମିବାରେ ଲାଗିଛି ଓ ଜିଲ୍ଲାର କରୋନା ଆରୋଗ୍ୟ ସଂଖ୍ୟା ୨୧୬୬ ଥିବାବେଳେ ଏହାର ହାର ୯୬,୫୭ପ୍ରତିଶତ ରହିଛି । ୩୧ତାରିଖରେ ଜିଲ୍ଳାରେ ୯୮୮ ଜଣଙ୍କୁ କରୋନା ଟିକା ଦିଆଯାଇଛି । ସାମାନ୍ୟ ଲକ୍ଷଣଥିବା ରୋଗୀମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଇଛି ଏବଂ ଏଥିରେ ବି ସଫଳତା ମିଳିଛି । ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଅଧିକାରୀମାନେ ଏବଂ ରାପିଡ଼ ରେସପୋନ୍ସଟିମର ଡାକ୍ତର ଏବଂ ସହାୟକ ଦଳ ଅବସ୍ଥା ଉପରେ ନଜର ରଖିଛନ୍ତି । ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଡେପୁଟି କଲେକ୍ଟର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରତିଦିନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରୁଛନ୍ତି । ଫେବ୍ରୁଆରି ମାସ ପାଇଁ ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳି ଜାରି ହୋଇଥିବାରୁ ଏହାକୁ ସମସ୍ତେ ପାଳନ କରିବାପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Comments (0)
Add Comment