ସୁବର୍ଣ୍ଣପୁର ପୌରପରିଷଦ ପକ୍ଷରୁ ଗୋ ଶ୍ରଦ୍ଧା ବୈଠକ

ବର୍ଣ୍ଣପୁର,୧୩/୮- ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ତଥା ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହୁଛି । ମଣିଷ ଓ ଗାଈଗୋରୁ ଉଭୟଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ପୌର ପ୍ରଶାସନର ମିଳିତ ଉଦ୍ୟମରେ ଗାଈଗୋରୁ ଯେପରି ରାସ୍ତାଘାଟ ବଜ଼ାର ଛକ ଆଦି ସ୍ଥାନରେ ଅଯଥାରେ ରୁଣ୍ଡ ନହେବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ପୌରପରିଷଦ ଅଞ୍ଚଳରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗକ୍ରମେ ସହରର ଗୋରୁମାଲିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗାଇଗୋରୁଙ୍କୁ ଅଯଥାରେ ରାସ୍ତା ଉପରକୁ ନଛାଡିବାପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପୌରପରିଷଦର ସଭାଗୃହ ଠାରେ ଗୋ ସୁରକ୍ଷା ପାଇଁ କାମକରୁଥିବା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁତ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସହରରେ ଗାଈଗୋରୁ ପାଳନ କରିଥିବା ସମସ୍ତଙ୍କୁ ପାଳିତ ଗାଈଗୋରୁଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ରାସ୍ତା ଉପରକୁ ନ ଛାଡି ସେମାନଙ୍କ ପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ବୈଠକରେ ମତପ୍ରକାଶ ପାଇଥିଲା । ସହରରେ ଏହି ସମସ୍ୟାରେ ସୁଧାର ଆଣିବା ପାଇଁ ଜନସହଭାଗିତାରେ ଏକ ମିଳିତ ଉଦ୍ୟମର ଆବଶ୍ୟକତା ରହିଥିବା ବୈଠକରେ ଆଲୋଚନା ହୋଇଥିଲା । ଏଥିନିମନ୍ତେ ସହରରେ ଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜେଶ ସିଂ,କେଶରୀଆ ହିନ୍ଦୁ ବାହିନୀର ବ୍ୟାସଦେବ ମିଶ୍ର, ସ୍ୱଚ୍ଛ ଭାରତ ସଂଗଠନର ମନୋରଞ୍ଜନ ତ୍ରିପାଠୀ, ଇନ୍ଦୁମତି ପୁରୋହିତ, ପ୍ରଦୀପ ପୁରୋହିତ, ବିନୋଦ ମେହେର, ୟୁଥ୍‌ ଫର୍‌ ଏକ୍ସନ୍‌ ସଭାପତି ସ୍ୱରୁପ ପାତ୍ର, ବଜରଙ୍ଗଦଳର ଜିତୁ ବଡ଼ମାଳୀ, ସୁକୁନ ମିଶ୍ର, ସୁବ୍ରତ ବାରିକ, ଏନିମଲ୍‌ ବୋର୍ଡର ରଶ୍ମି ରଞ୍ଜନ ଦାସ, ଗଣେଶ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment