ସୁବର୍ଣ୍ଣପୁରରେ କଂଗ୍ରେସର ବନ୍ଦଡାକରା ଶାନ୍ତିପୂର୍ଣ୍ଣ

ସୋନପୁର,୧୫/୨ – ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନରେ ଡାକରା ଦିଆଯାଇଥିବା ଓଡ଼ିଶାବନ୍ଦର ପ୍ରଭାବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଅନୁଭୂତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଥିପାଇଁ ସକାଳ ୭ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସହରର ବ୍ଲକ ଛକ, କୁଞ୍ଜ ଛକ ,ବୁଢ଼ାରଜା ଛକରେ ଗାଡିମୋଟର ଅଟକାଇବା ସହ ପିକେଟିଂକରି କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ବିଶେଷକରି ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରିଥିଲେ । ବନ୍ଦଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥାକୁ ଏଥିରେ ବାଦ ଦିଆଯାଇଥିଲା । ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ସହ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ରାଜେଶ ମିଶ୍ର ,ମାଧବ କୁମ୍ଭାର, କୃତ୍ତିବାସ ପାଣିଗ୍ରାହୀ, ଶେଷଦେବ ମେହେର, ରାଜେନ୍ଦ୍ର ମେହେର, ରଞ୍ଜିତ ରାୟ, ତରଣୀ ବାରିକ, ଲଛମନ ସୁନା, ସଚ୍ଚିଦାନନ୍ଦ ସାହୁ ,ଚିତ୍ତରଞ୍ଜନ କୁମ୍ଭାର ପ୍ରମୁଖଙ୍କ ସହ ବିଭିନ୍ନ କଂଗ୍ରେସ କର୍ମୀ ଏ ବନ୍ଦ ପାଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Comments (0)
Add Comment