ସୁବର୍ଣ୍ଣପୁର,୮/୯- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ‘ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ’ ପାଳିତ ହୋଇଯାଇଛି । ଏଥିରେ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ପବନକୁ ସୀମା ମଧ୍ୟରେ ଅଟକାଇ ହେବନାହିଁ । ତେଣୁ ସ୍ୱଚ୍ଛ ପବନ ପାଇଁ ତଥା ବାୟୁ ପ୍ରଦୂଷଣ ରୋକିବା ଦିଗରେ ସମସ୍ତେ ବ୍ୟକ୍ତିଗତ ସ୍ତରରୁ ଉଦ୍ୟମ ଆରମ୍ଭ କରିବା ଉଚିତ ବୋଲି କହିବାସହ ପ୍ରଦୂଷିତ ବାୟୁ ପ୍ରାରମ୍ଭିକ ଭାବେ ଛିଙ୍କ, କାଶ, ଦେହ ହାତ କୁଣ୍ଡେଇହେବା ପରି ସମସ୍ୟା ସୃଷ୍ଟି କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ ଓ କ୍ୟାନସର ପରି ସମସ୍ୟା ସୃଷ୍ଟି କରିଥାଏ ବୋଲି ସମସ୍ତଙ୍କୁ ସଚେତନ କରିଥିଲେ । ଭରଚୁଆଲ ମୋଡରେ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଏବଂ ମିଶନଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ କାର୍ତ୍ତିକ ଚନ୍ଦ୍ର ନାୟକ ସ୍ୱଚ୍ଛ ବାୟୁ ପାଇଁ ନିଜ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିବାସହ ଏଥିପାଇଁ ସାମୁହିକ ସହଯୋଗର ଆବଶ୍ୟକତା ଅଛି ବୋଲି କହିଥିଲେ । ଏହି ଅବସରରେ ପ୍ରସ୍ତୁତ ପୋଷ୍ଟରକୁ ଉପସ୍ଥିତ ଅତିଥିମାନେ ଅନାବରଣ କରିଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମତି ତରଫରୁ ନିଆଯାଇଥିବା ବିଭିନ୍ନ ସଚେତନଧର୍ମୀ ପଦକ୍ଷେପ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱମ୍ବର ବେହେରା ଦିବସ ପାଳନର ଇତିବୃତ୍ତ ଉପସ୍ଥାପନ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲାସ୍ତରରେ ଅନ୍ୟମାନଙ୍କ ମଧ୍ୟରେ ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି, ଡିଡିଏମ୍ ପ୍ରଦୀପ କୁମାର ସାହୁ, ଅଣସଂକ୍ରାମକ ରୋଗ ସହକାରୀ ପରିଚାଳକ ଗୀତାଞ୍ଜଳି ମେହେର ଓ ଆଶା ମେନେଜର ତରଣୀସେନ ପ୍ରଧାନ ପ୍ରମୁଖ ଯୋଗଦେଇଥିବାବେଳେ ଭାରଚୁଅଲ ମୋଡରେ ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟ ଅଧିକାରୀ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।