କଟକଣା ଶୁନ୍ୟ ସୁବର୍ଣ୍ଣପୁର ଜିଲ୍ଲା : ସଂକ୍ରମଣ ୩ହଜାର ଡେଇଁଲା

ସୋନପୁର,୮/୧୦ : ଜିଲ୍ଲାର ସମସ୍ତ ଅଞ୍ଚଳରେ କରୋନା ତାର କାୟାବିସ୍ତାର କରି ଚାରିଆଡେ ବ୍ୟାପି ସାରିଛି ହେଲେ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଯେଉଁ ସଚେତନତା ରହିବାକଥା ତାହା ମୋଟେ ଦେଖାଯାଉନାହିଁ । ବିଶେଷକରି ଲକଡାଉନ୍‌ କୋହଳ ପରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବାପରେ ସାମାନ୍ୟତମ କଟକଣାକୁ ମଧ୍ୟ ଲୋକମାନେ ମାନୁନଥିବା ଦେଖାଯାଉଛି । ସମସ୍ତ ପ୍ରକାର ଦୋକାନ ବଜାର ସାପ୍ତାହିକ ହାଟ ବିଭିନ୍ନ ମଲ ମାନଙ୍କରେ ଲୋକମାନେ ସାମାନ୍ୟତମ ସାମାଜିକ ଦୂରତା ପାଳନ ନକରି ତଥା ବିଭିନ୍ନ ରାସ୍ତା ଘାଟରେ, ଚାହା ଖଟିରେ ଯୁବକମାନେ ବେପରୁଆ ଭାବେ ଗୁଲିଖଟି କରୁଥିବାବେଳେ ସମସ୍ତ କଟକଣା କୁ ଫୁ କରି ବେଖାତିର କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଇ କାଲିସୁଦ୍ଧା ୩୨୬୦ ରେ ପହଞ୍ଚି ଆଗକୁ ଜିଲ୍ଲାରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟିକୁ ଏଡାଇଦିଆଯାଇନପାରେ ବୋଲି ଜିଲ୍ଲାର ସଚେତନ ବର୍ଗରେ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଗୃହ ସଂଗରୋଧରେ ରହିବାପାଇଁ ସୁଯୋଗ ଥିବାରୁ ସେମାନେ ଖୁଲମଖୁଲା ବୁଲୁଥିବା ମଧ୍ୟ ଦେଖାଯାଉଛି । ନିର୍ଭୟରେ ସଂକ୍ରମିତ ବୁଲୁଥିବା ଯୋଗୁଁ ଆଗକୁ ଜିଲ୍ଲାସାରା ଗୋଷ୍ଠୀ ସଂକ୍ରମଣର ଭୟ ଘାରିଛି । ବିଶେଷକରି ବର୍ତ୍ତମାନ ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ପଜିଟିଭଙ୍କ ସଂଖ୍ୟା ଯେଭଳି ମାତ୍ରାରେ ବଢୁଛି ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କ୍ରମାଗତ ଭାବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କରୋନା ପହଞ୍ଚିଥିବା ଯାଇଥିବା କାରଣରୁ ଅଫିସ କାର୍ଯ୍ୟରେ ବ୍ୟାଘାତ ହୋଇଥିବା ବେଳେ ଜିଲ୍ଲାରେ କରୋନା ମୁକାବିଲାରେ ସର୍ବାଗ୍ରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନେକ କର୍ମଚାରୀ ସଂକ୍ରମିତ ହୋଇଥିବା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ କରୋନା କଟକଣାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରିବାସହ ଜିଲ୍ଲାର ସମସ୍ତ ସ୍ଥାନରେ ଲୋକମାନେ ମାସ୍କ ପିନ୍ଧି ବା ତଥା ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନକରି ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପଦକ୍ଷେପ ନେବାକୁ ଜିଲ୍ଲାର ସମସ୍ତ ସଚେତନ ବର୍ଗ ଦାବି କରିଛନ୍ତି ।

Comments (0)
Add Comment