ସୁବର୍ଣ୍ଣପୁର,୮/୭ -ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସୁବର୍ଣ୍ଣପୁର ପରିସରରୁ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ ପାଳନ ଅବସରରେ ବ୍ୟାପକ ସଚେତନତା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ଦଣ୍ଡପାଟ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ରଥର ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ଉତ୍ସବ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ୟ୍ଥ ଅଧିକାରୀ ଡା. ନବ କିଶୋର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ) ଡ. ତ୍ରିବିକ୍ରମ ପାଣ୍ଡିଆଙ୍କ ସମେତ ସମସ୍ତ ଉପବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶୁଭାରମ୍ଭ କରାଯାଇଥିବା ସଚେତନତା ରଥ ଜିଲ୍ଲା ମ୍ୟୁନିସିପାଲିଟି ଅଂଚଳର ସମସ୍ତ ୱାର୍ଡରେ ବ୍ୟାପକ ସଚେତନତା ସୃଷ୍ଟି କରାଇବ । ଏଥିସହ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ସମାନ ଢଙ୍ଗର କାର୍ଯ୍ୟକ୍ରମ ବିଭାଗ ତରଫରୁ ଅନୁଷ୍ଠିତ କରାଯିବ । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟଅଧିକାରୀ ଡା. ନବ କିଶୋର ବେହେରାଙ୍କ ସୂଚନା ଅନୁସାରେ ବିଶ୍ୱ ଜନସଂଖ୍ୟା ପକ୍ଷ ପ୍ରତିବର୍ଷ ଜୁନ ୨୭ ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ପାଳିତ ହୋଇଥାଏ ଯଥା: ଜୁନ ୨୭ ତାରିଖ ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଜନ ସଂଖ୍ୟା ସଚେତନତା ପକ୍ଷ ଓ ଜୁଲାଇ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଜନସଂଖ୍ୟା ସ୍ଥିରତା ପକ୍ଷ । ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷରେ ବିଭିନ୍ନ ମାଧ୍ୟମ ଅବଲମ୍ବନ କରି ଜନସଂଖ୍ୟା ସ୍ଥିରତା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବାବେଳେ ସ୍ଥିରତା ପକ୍ଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଲବ୍ଧ ବିଭିନ୍ନ ପରିବାର ନିୟୋଜନ ପଦ୍ଧତି ମଧ୍ୟରୁ ଯଥା:ଗର୍ଭ ନିରୋଧକ ବଟିକା ଓ କଣ୍ଡମ, ଅନ୍ତରା ଇଞ୍ଜେକ୍ସନ, ପ୍ରସବ ପରବର୍ତ୍ତୀ ଆ.ୟୁ ସି ଡି, ଆ. ୟୁ.ସି. ଡି., ମହିଳା ବନ୍ଧ୍ୟା କରଣ, ପୁରୁଷ ବନ୍ଧ୍ୟା କରଣ ଇତ୍ୟାଦି ସେବା ସବୁ ମଧ୍ୟରୁ ସନ୍ତାନ ଜନ୍ମକ୍ଷମ ଦଂପତ୍ତିଙ୍କ ମନ ପସନ୍ଦର ଗୋଟିଏ ପଦ୍ଧତି ଆପଣେଇବାର ସେବା ପ୍ରଦାନ କରାଯାଇଥାଏ ।