ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡାଇଲେସିସ୍‌ ୟୁନିଟ ସ୍ଥାପନ ପାଇଁ ଦାବି

ସୁବର୍ଣ୍ଣପୁର,୩୦/୩ – ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସ୍‌ ସେବା ଚାଲୁକରିବା ପାଇଁ ଆଜି ପରିବର୍ତ୍ତନ ଗୃପ ପକ୍ଷରୁ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉକରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବାବେଳେ ଶହଶହ ଲୋକ ପ୍ରତିଦିନ ଡାଇଲିସିସ୍‌ର ଆବଶ୍ୟକତା ରହିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ କରି ଆବଶ୍ୟକୀୟ ଉପକରଣ ରଖାଯାଇ ଡାକ୍ତରମାନଙ୍କୁ ତାଲିମ ମଧ୍ୟ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାଇଲିସିସ ମେସିନ ମହଜୁଦ ଥିବାବେଳେ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ଅଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାଇଲିସିସ ସେବା ଅଦ୍ୟାବଧି ଆରମ୍ଭ ହୋଇପାରିନାହିଁ । ବିଭିନ୍ନ ସମୟରେ ସ୍ଥାନୀୟ ଲୋକ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କ୍ରମାଗତ ଭାବରେ ଦୀର୍ଘଦିନରୁ ଦାବିକରି ଆସୁଥିଲେହେଁ ଏହାର ସମାଧାନ ନ ହେବାରୁ ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପରିବର୍ତ୍ତନ’ ପକ୍ଷରୁ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ଅନେକ ନେତା ,ସଚେତନ ନାଗରିକଙ୍କ ସହ ଅନେକ କିଡନୀ ରୋଗୀମାନଙ୍କୁ ଧରି ଆଜି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରାଯାଇଛି । ଯେ ପର୍ଯ୍ୟନ୍ତ ଡାଇଲିସିସ ସେବା ଆରମ୍ଭ ନହେବ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀମାନେ । ଅପରପକ୍ଷରେ ଆସନ୍ତା ୮ତାରିଖ ସୁଦ୍ଧା ଡାଇଲିସିସ ସେବା ଆରମ୍ଭ କରାଯିବା ନେଇ ସିଡିଏମଓଙ୍କ ଲିଖିତ ପ୍ରତିଶୃତି ପରେ ଆଜିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ସହ ଦଶଦିପ୍ତ ମହାପାତ୍ର, ସୁରେଶ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ସତ୍ୟନାରାୟଣ ମିଶ୍ର, ବାସୁଦେବ ବେହେରା, ଶଙ୍କର୍ଷଣ ବାଘ, କେଶବ ସାହୁ, ବନମାଳୀ ପ୍ରଧାନ, ସଂଜିବ ସାହୁ ପ୍ରମୁଖଙ୍କ ସହ ଅନେକ ନେତାମାନେ ଯୋଗଦେଇଥିଲେ ।

Comments (0)
Add Comment